ଭୁଶୁଡି ପଡିଲା ଉଦଳା ଉପ-ଜିଲ୍ଲାପାଳଙ୍କ ବାସଭବନର ଛାତ ; ଅଳ୍ପକେ ବର୍ତ୍ତିଲେ ଉପ ଜିଲ୍ଲାପାଳ

Published By : Prameya-News7 Bureau | October 05, 2018 IST

ଉଦଳା ୫/୧୦ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କପ୍ତିପଦା ଉପଖଣ୍ଡ ଉପ ଜିଲ୍ଲାପାଳ | ମୟୁରଭଞ୍ଜ ଜିଲ୍ଲା ଉଦଳା ଉପ-ଜିଲ୍ଲାପାଳଙ୍କ ବାସଭବନର ଛାତ ଭୁଶୁଡି ପଡିଛି | ତେବେ ଉପ ଜିଲ୍ଲାପାଳ କିମ୍ବା ତାଙ୍କ ପରିବାର ସଦସ୍ୟ କେହି ଘରେ ନଥିବାରୁ ସମସ୍ତେ ସୌଭାଗ୍ୟ ବଶତଃ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି | ଉଦଳା ଉପ ଜିଲ୍ଲାପାଳଙ୍କ ବାସଭବନ ଏକ ପୁରୁଣା କାଳିଆ କୋଠା ହୋଇଥିବାରୁ ହଠାତ ଭୁଶୁଡି ପଡିଥିଲା | ବ୍ରିଟିଶ ଅମଳରେ ତିଆରି ହୋଇଥିବା ଏହି କୋଠା ଚୁନା, ଗୁଡା ଏବଂ ଅନ୍ୟାନ୍ୟ ସାମଗ୍ରୀରେ ତିଆରି ହୋଇଥିଲା | ତେବେ ଏତେ ପୁରୁଣା ହୋଇଥିଲେ ମଧ୍ୟ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇନଥିଲା | ବରଂ ଏହା ଉପ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଭାବେ ବ୍ୟବହୃତ ହେଉଥିଲା | ତେବେ ଗତ ଦୁଇଦିନ ହେବ ଉପଜିଲ୍ଲାପାଳ ଭଗବାନ ବେହେରା ସରକାରୀ କାର୍ଯ୍ୟରେ ବାରିପଦା ଯାଇଥିବାରୁ ଘରେ କେହିନଥିଲେ | ଆଜି ସକାଳେ ଉପଜିଲ୍ଲାପାଳ ଶ୍ରୀ ବେହେରା ଉଦଳା ଫେରି ଘରର କବାଟ ଖୋଲିଲା ପରେ ଘରର ଛାତ ଭୁଶୁଡି ପଡିଥିବା ଦେଖିଥିଲେ | ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି | ଖୁବ ଶୀଘ୍ର ଏହି ଘରକୁ ଅସୁରକ୍ଷିତ ଘୋଷଣା କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.