Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାତ୍ର ୩ ମିନିଟର ଭିଡିଓ କଲ୍, ଚାଲିଗଲା ୩ ହଜାର ୭୦୦ ଜଣଙ୍କ ଚାକିରୀ

15/05/2020 at 11:34 AM

ନୂଆଦିଲ୍ଲୀ ୧୫/୦୫ : କରୋନା ଭାଇରସ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି | ସାରା ଦୁନିଆରେ ଲକ ଡାଉନ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି | ଆର୍ଥିକ ସଙ୍କଟ ଯୋଗୁଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ବାହାର କରିଦେଉଛନ୍ତି | କିଛି କମ୍ପାନୀ କର୍ମଚାରୀଙ୍କ ଦରମା କାଟ କରୁଛନ୍ତି | ଅନଲାଇନ କ୍ୟାବ ସେବା ଯୋଗାଉଥିବା ଉବେର ନିଜର ୧୪ ପ୍ରତିଶତ କର୍ମଚାରୀ ଅର୍ଥାତ ୩ ହଜାର ୭୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛି | 

ମାତ୍ର ୩ ମିନିଟର ଭିଡିଓ କଲ କରି ୩ ହଜାର ୭୦୦ ଜଣଙ୍କ ବାହାର କରିଦେଇଛି | କମ୍ପାନୀ କର୍ମଚାରୀଙ୍କୁ ଭିଡିଓ କଲ କରି କହିଥିଲା କରୋନା ଯୋଗୁଁ ସ୍ଥିତି ବହୁତ ସାଙ୍ଘାତିକ ହୋଇଗଲାଣି | କରୋନା ବର୍ତ୍ତମାନ ଚେତାବନୀ ପାଲଟିଗଲାଣି | ଏହି ପରିସ୍ଥିତିରୁ ବାହାରିବା ପାଇଁ କମ୍ପାନୀ କର୍ମଚାରୀଙ୍କୁ କହିଥିଲା ‘ଯେ ଏବେ ତାଙ୍କର ଦରକାର ନାହିଁ | ଆଜି ଆପଣମାନଙ୍କର ଶେଷ ଦିନ…ଉବେର ନିଜର ୩ ହଜାର ୫୦୦ ଆଗଧାଡ଼ିର କର୍ମଚାରୀଙ୍କୁ ବାହାର କରୁଛି | ଆପଣଙ୍କ କାମ ପ୍ରଭାବିତ ହୋଇଛି ଏବଂ ଆଜି ଉବେର ସହିତ କାମ କରିବାର ଆପଣଙ୍କର ଶେଷ ଦିନ |’

ଅନେକ କର୍ମଚାରୀ ଉବେରର ଏହି ବ୍ୟବହାରକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ବାହାର କରିବା ପୂର୍ବରୁ ନୋଟିସ ଦେବା ଉଚିତ | ଅଚାନକ କଲ କରି ଏତେ ସଂଖ୍ୟକ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ଅନୁଚିତ | ଛଟେଇ ହୋଇଥିବା କର୍ମଚାରୀଙ୍କୁ କିଛି ଟଙ୍କା ମଧ୍ୟ ମିଳିଛି |

ମିଳିଥିବା ସୂଚନା ଅନୁଯାୟୀ, ଉବେରକୁ ଚଳିତ ବର୍ଷ ପ୍ରଥମ ୩ ମାସ ଭିତରେ ୨.୯ କୋଟି ଡଲାର କ୍ଷତି ହୋଇଛି | କମ୍ପାନୀ ନିଜର ବାଇକ ଓ ସ୍କୁଟର ସେବା ମଧ୍ୟ ବନ୍ଦ କରିଦେଇଛି | କମ୍ପାନୀ ନିଜର ବାଇକ ଓ ସ୍କୁଟର ବ୍ୟବସାୟ ‘ଜମ୍ପ’କୁ ବିକ୍ରି କରୁଛି | ଜମ୍ପର ବିକ୍ରି ଲାଇମକୁ କରାଯିବ ଯିଏ ଉବେରରେ ୮.୫ କୋଟି ଡଲାର ବିନିଯୋଗ କରିଛି | ଜମ୍ପକୁ ଚଳିତ ବର୍ଷ ପ୍ରଥମ ୩ ମାସରେ ପାଖାପାଖି ୬ କୋଟି ଡଲାର କ୍ଷତି ହୋଇଥିବାରୁ କମ୍ପାନୀ ଏହିଭଳି ନିଷ୍ପତ୍ତି ନେଇଛି |

ପରିବହନ କମ୍ପାନୀ ଉବେର କରୋନା ଯୋଗୁଁ ଅନ୍ତ୍ୟନ୍ତ ପ୍ରଭାବିତ ହୋଇଛି | ଉବେରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି ଯେ, ସାରା ବିଶ୍ୱରେ ବ୍ୟାପିଥିବା କରୋନା ଯୋଗୁଁ ପରିବହନ ବ୍ୟବସାୟ ଅନେକାଂଶରେ ପ୍ରଭାବିତ ହୋଇଛି | ସେଥିପାଇଁ କମ୍ପାନୀର ବାଲାନ୍ସ ସିଟକୁ ନିୟନ୍ତ୍ରଣରେ ରଖିବା ପାଇଁ କମ୍ପାନୀ ଏହିଭଳି ପଦକ୍ଷେପ ନେଇଛି | ବର୍ତ୍ତମାନ କମ୍ପାନୀ ଉବେର ଇଟ୍ସରେ ଅଧିକ ସଂସାଧନ ବିନିଯୋଗ କରିଛି | ବର୍ତ୍ତମାନ ଫୁଡ ଡେଲିଭରି ବ୍ୟବସାୟରେ ଲାଭ ଅଛି ବୋଲି ସେ କହିଛନ୍ତି |

   Related Posts