ଉବେର ପାଇଁ ଟେନସନ : ୫୯୮୧ ଯୌନ ନିର୍ଯ୍ୟାତନା ମଧ୍ୟରେ ୪୬୪ଜଣଙ୍କ ସହ ଦୁଷ୍କର୍ମ ଏବଂ ୧୯ ହତ୍ୟା
7/12/2019 at 1:27 PM

ନୂଆଦିଲ୍ଲୀ ୭/୧୨: ଉବେରକୁ ୨୦୧୭ମସିହାରୁ ୨୦୧୮ମସିହା ମଧ୍ୟରେ ୫,୯୮୧ ଯୌନ ନିର୍ଯ୍ୟାତନା ଅଭିଯୋଗ ମିଳିଛି। ଏଗୁଡ଼ିକ ମଧ୍ୟରୁ ୪୬୪ ଟି ଦୁଷ୍କର୍ମ ମାମଲା। ସିଏନଏନ ମୁତାବକ ରିପୋର୍ଟରେ କୁହାଯାଇଛି ଯେ ଦୁଷ୍କର୍ମ ପୀଡ଼ିତାଙ୍କ ମଧ୍ୟରୁ ୯୨ପ୍ରତିଶତ ଯାତ୍ରୀ ଏବଂ ୭ପ୍ରତିଶତ ଚାଳକ। ରିପୋର୍ଟରେ କମ୍ପାନୀ ସହ ଜଡ଼ିତ ୧୯ଟି ହତ୍ୟା ମାମଲାର ମଧ୍ୟ ଖୁଲାସା କରାଯାଇଯାଇଛି। ଯୌନ ନିର୍ଯ୍ୟାତନା ଅଭିଯୋଗ ବୃଦ୍ଧି ପାଇବା ଫଳରେ ଉବେର ଏବଂ ଏହାର ପ୍ରତିଦ୍ବନ୍ଦୀ ‘ଲିଫ୍ଟ’ ଉପରେ ଲଗାତାରଭାବେ ଏଥିରୁ ବର୍ତ୍ତିବାର ଚାପ ପଡ଼ୁଛି।
କମ୍ପାନୀକୁ ୨୦୧୭ ଏବଂ ୨୦୧୮ମସିହାରେ ପାଖାପାଖି ସବୁ ମିଶାଇ ୫୮୭ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମିଳିଛି। ଅନ୍ୟାନ୍ୟ ମାମଲା ମଧ୍ୟରେ ବିନା ସହମତିରେ ଛୁଇଁବା ଏବଂ ଚୁମ୍ବନ ଭଳି ନିର୍ଯ୍ୟାତନା ରହିଛି। ତେବେ ୫ଟି ସବୁଠାରୁ ଗମ୍ଭୀର ମାମଲାରେ ୧୬ ପ୍ରତିଶତ ହ୍ରାସ ଘଟିଛି।
ଉବେରର ରିପୋର୍ଟ ଅନୁସାରେ ୨୦୧୭ମସିହାରେ ୧୦ଟି ଏବଂ ୨୦୧୮ମସିହାରେ ୯ଟି ପ୍ରାଣଘାତୀ ମାମଲା ସାମନାକୁ ଆସିଛି। କିନ୍ତୁ ଉବେରର କହିବାନୁସାରେ, ଯେତେ ପରିମାଣର ସେବା ଏହି ସଂସ୍ଥା ଯୋଗାଉଛି, ତାହା ତୁଳନାରେ ଅପରାଧ ସଂଖ୍ୟା କମ। ଆମେରିକାର ୧.୩ ମିଲିୟନ ଲୋକଙ୍କୁ ଏହି ସୁବିଧା ମିଳୁଛି। ଯାହାର ଅନୁପାତରେ ଅପରାଧ ସଂଖ୍ୟା ୩ ପ୍ରତିଶତରୁ କମ ରହିଛି। ତେବେ ଏହି ସବୁ ଅଭିଯୋଗ ପାଇଁ ଉବେରକୁ ତାହାର ପ୍ରତିଦ୍ୱନ୍ଦ୍ୱୀ ଲିଫ୍ଟ ତରଫରୁ ଚାପ ସୃଷ୍ଟି ହେଉଛି।
ସୂଚନାଯୋଗ୍ୟ, ୨୦୧୭ରେ ଉବେରର ଏକ ମାମଲା ଭାରତରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଜଣେ ମହିଳାଙ୍କୁ ଯାତ୍ରା ସମୟରେ ଉବେର ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଏହା ପୂର୍ବରୁ ଆମେରିକାରେ ସିଏନଏନ ଉବେର ଯାତ୍ରୀଙ୍କ ଅଭିଯୋଗ ଆଧାରରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ୧୦୩ ଉବେର ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଦର୍ଶାଯାଇଥିଲା।