ୟୁଏଇ ମାଗିଲା ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଔଷଧ, ଭାରତ କରୁଛି ବିଚାର
16/04/2020 at 7:52 AM

ଦୁବାଇ ୧୬।୪: ସାରା ବିଶ୍ବ ବର୍ତ୍ତମାନ କରୋନା ମହାମାରୀର ସଙ୍କଟ ସହ ମୁକାବିଲା କରୁଛି । ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ମଧ୍ୟ ବର୍ତ୍ତି ପାରିନାହିଁ । ଏହି ବିପର୍ଯ୍ୟୟ ମଧ୍ୟରେ ଭାରତ ବିଶ୍ବରେ ଏପରି ଏକ ଦେଶ ଭାବରେ ଉଭା ହୋଇଛି, ଯିଏ ସମସ୍ତଙ୍କୁ ସାହାଯ୍ୟ କରୁଛି । ଏବେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ର ସାହାଯ୍ୟ ମାଗିଛି । ଭାରତ ମଧ୍ୟ ଯଥା ସମ୍ଭବ ସହାୟତା ଯୋଗାଇବା ପାଇଁ ଆଶ୍ବାସନା ଦେଇଛି ।
ମ୍ୟାଲେରିଆ ମୁକାବିଲାରେ ବ୍ୟବହୃତ ହେଉଥିବା ଏହି ଔଷଧ କରୋନା ଭାଇରସ୍ ମୁକାବିଲାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି । ୟୁଏଇରେ ଭାରତର ରାଷ୍ଟ୍ରଦୂତ ପଓ୍ବନ କପୁର ଏକ ଗଣମାଧ୍ୟମକୁ କହିଛନ୍ତି ଯେ କିଛି ୟୁଏଇ କମ୍ପାନୀ ଭାରତ ଆଗରେ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍ ଔଷଣ ପାଇଁ ଅନୁରୋଧ କରିଛନ୍ତି । ଏହାପରେ ଦିଲ୍ଲୀକୁ ଏହି ସୂଚନା ଦିଆଯାଇଛି ।
ପଓ୍ବନ କପୁରଙ୍କ କହିବା ଅନୁସାରେ, ଭାରତ ସରକାର ଖୁବ୍ ଶୀଘ୍ର ଏକ ନିଷ୍ପତ୍ତି ନେଉଛନ୍ତି, ଏପରି ଭାବରେ ୟୁଏଇ ଶୀଘ୍ର ଏହି ଔଷଧର ପ୍ରଥମ କିସ୍ତି ପାଇପାରିବ । ପୂର୍ବରୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ବିଇନ୍ ଔଷଧ ଯୋଗାଣ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି ଏବଂ ଯେଉଁ ଦେଶରେ ଅବସ୍ଥା ଖରାପ ଅଛି ସେହି ଦେଶକୁ ଦେବାକୁ ପ୍ରତିଶୃତି ଦେଇଛନ୍ତି ଭାତର ସରକାର ।
ତେବେ ବର୍ତ୍ତମାନ ୟୁଏଇରେ ସେପରି କୌଣସି ପ୍ରକାରର ପରିସ୍ଥିତି ନାହିଁ । କିନ୍ତୁ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଏହା ଉପରେ ନିଷ୍ପତ୍ତି ନେଇପାରେ । ଏପର୍ଯ୍ୟନ୍ତ ଆମେରିକା, ଜର୍ମାନୀ, ଇସ୍ରାଏଲ, ବ୍ରାଜିଲ, ନେପାଳ ସମେତ ୧୩ଟି ଦେଶକୁ ଏହି ଔଷଧ ଦେଇଛି ଭାରତ । ପୂର୍ବରୁ ମରିସସ୍ ମଧ୍ୟ ଭାରତରୁ ପଠାଯାଇଥିବା ଏହି ଔଷଧର ଗ୍ରହଣ କରିଛି ।
ସୂଚନାଯୋଗ୍ୟ ଯେ, ୟୁଏଇରେ ଗତ କିଛି ଦିନ ମଧ୍ୟରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇଛି । ସେଠାରେ ୫,୦୦୦ ରୁ ଅଧିକ ଲୋକ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବାବେଳେ ୩୩ ଜଣ ପ୍ରାଣ ହରାଇଛନ୍ତି ।