ବିସ୍ଫୋରଣ ପରେ ସଜାଗ ହେଲା ୟୁଏଇ, ଡ୍ରୋନ ଉଡାଣ ଉପରେ ମାସେ ଲଗାଇଲା ପ୍ରତିବନ୍ଧକ

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ,୨୨/୦୧:  ଆବୁ ଧାବି ବିମାନ ବନ୍ଦରରେ ଡ୍ରୋନ ଆଟାକ୍ ପରେ ସଜାଗ ହୋଇଛି ୟୁଏଇ । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଦେଶରେ ଡ୍ରୋନ ଉଡାଣ ଉପରେ ରୋକ ଲଗାଇଛନ୍ତି ୟୁଏଇ ସରକାର । ୟୁଏଇର ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ସମୟରେ କେହି ଯଦି କଟକଣାର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ନିକଟରେ ହୋଇଥିବା ଡ୍ରୋନ ଆଟାକ୍ କଥା ଏଥିରେ ଉଲ୍ଲେଖ ନକରି ମନ୍ତ୍ରଣାଳୟ କହିଛି, ଡ୍ରୋନର ଅପବ୍ୟବହାର ଏବଂ ନିଷିଦ୍ଧାଞ୍ଚଳର ଏହାର ଉଡାଣ ହେଉଥିବା ନଜରକୁ ଆସିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଜରୁରୀକାଳିନ ସ୍ଥିତିରେ ଅଧିକାରୀଙ୍କ ଅନୁମତି ନେଇ ଡ୍ରୋନ ଉଡାଣ କରିପାରିବେ ବୋଲି ଏଥିରେ କୁହାଯାଇଛି।  

ସୂଚନାଯୋଗ୍ୟ, ଗତ ସୋମବାର ୟେମନର ହୁତୀ ବିଦ୍ରୋହୀ ଆବୁ ଧାବି ବିମାନ ବନ୍ଦରରେ ଡ୍ରୋନ୍ ଆଟାକ୍ କରିଥିଲେ। ଅଏଲ ଟ୍ୟାଙ୍କର ଉପରେ ମିସାଇଲ ଆଟାକ୍ କରାଯାଇଥିଲା। ଏଥିରେ ଦୁଇ ଭାରତୀୟଙ୍କ ସହ ଜଣେ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୬ ଜଣ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.