ଦାମଙ୍କ ୟୁ ଟର୍ଣ୍ଣ ! ନରମିଲା ସ୍ବର : ଜାଣନ୍ତୁ କାରଣ କ‘ଣ
12/09/2018 at 3:01 PM

ଭୁବନେଶ୍ବର ୧୨/୯: ମୁଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି କହିନାହିଁ। ବରଂ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆମ ମୁଖ୍ୟମନ୍ତ୍ରୀଙ୍କ ଅଧିକ ଏକ୍ସପୋଜର ଅଛି, ସେ ଜଣେ ଉଚ୍ଚକୋଟୀର ଲେଖକ,ତାଙ୍କ ପୁସ୍ତକ ବେଷ୍ଟସେଲର୍ ହୋଇଛି ବୋଲି କହି ଆସୁଥିବା ଦାମ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଚାରିପଟେ ଥିବା ନେତା ଓ ଅଧସ୍ତନ କର୍ମଚାରୀମାନେ ଦୁର୍ନୀତିଗ୍ରସ୍ତ ବୋଲି କହିଛି ବୋଲି ଦାମ କହିଛନ୍ତି। ହଠାତ୍ ଦାମଙ୍କ ସ୍ବର ନରମିଯିବା ଏବଂ ସେ ୟୁ ଟଣ୍ଣ ନେବା ପରର କାରଣ ତାହା ଚର୍ଚ୍ଚାର ବିଷୟ ହୋଇଛି।
ଲଗାତାର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ଗତ କିଛିଦିନ ହେଲା ଦାମ ସରକାରଙ୍କୁ ଅଡ଼ୁଆରେ ପକାଇ ଆସୁଛନ୍ତି। ୟା ଭିତରେ ଜଗତସିଂହପୁରର ବିଜେଡ଼ି ଜିଲ୍ଲା ସଭାପତି ବିଷ୍ଣୁ ଦାସ ଏବଂ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ସୋମବାର ଦିନ ନବୀନଙ୍କ ନିକଟରେ ଫେରାଦ ହୋଇ ଦାମଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆଣିଥିଲେ। ସେହିଭଳି ଗତକାଲି ଜଗତସିଂହପୁର ଜିଲ୍ଲାର କିଛି ବିଜେଡ଼ି କର୍ମୀ ମଧ୍ୟ ନବୀନଙ୍କୁ ସାକ୍ଷାତ କରି ଦାମଙ୍କ ବହିଷ୍କାର ଦାବି କରିଥିଲେ। ମେକଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବା ପୂର୍ବରୁ ନବୀନ କହିଥିଲେ ଯେ, ସେ ଏହି ଅଭିଯୋଗ ଏବଂ ଦାବି ସମ୍ପର୍କରେ ବିଚାର କରିବେ। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବାପରେ କାଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସେଇ ଭୟରେ ଦାମ ଆଜି ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଥାଇପାରନ୍ତି ବୋଲି ଆଲୋଚନା ହେଉଛି।
ଅପରପକ୍ଷରେ ଯେତେ ପ୍ୟାଚ୍ ପକାଇବାପାଇଁ ଦାମ ଚେଷ୍ଟାକଲେ ମଧ୍ୟ ନବୀନ ଦିଲ୍ଲୀରୁ ଫେରିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଦଳର ଜଣେ ବରିଷ୍ଠ ମୁଖପାତ୍ର ଅନୈାପଚାରିକ ଭାବେ କହିଛନ୍ତି।