ଅପରେସନ୍ ପରେ ସଙ୍କଟରେ ଉତ୍ତର କୋରିଆର ଏକଛତ୍ରବାଦୀ ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍ ଉନଙ୍କ ଜୀବନ : କହିଲେ ଆମେରିକାର ବରିଷ୍ଠ ଅଧିକାରୀ

Published By : Prameya-News7 Bureau | April 21, 2020 IST

ପ୍ୟୋଙ୍ଗୟାଙ୍ଗ୍ ୨୧/୪: ଉତ୍ତର କୋରିଆର ଏକଛତ୍ରବାଦୀ ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍ ଉନଙ୍କ ଜୀବନ ବିପଦରେ ରହିଥିବା କଥା କୁହାଯାଉଛି। ଆମେରିକାର ଅଫିସରଙ୍କ ମୁତାବକ ଏକ ଅପରେସନ୍ ପରେ କିମଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ିଯାଇଛି। କୁହାଯାଉଛି ଯେ କିମ୍ ଅପ୍ରେଲ୍ ୧୫ତାରିଖରେ ନିଜ ଜେଜେବାପାଙ୍କ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇନଥିଲେ।

କିମ୍ ଜଙ୍ଗ ଉନଙ୍କ ପରମାଣୁ କାର୍ଯ୍ୟକ୍ରମ ଆମେରିକାକୁ ଚିନ୍ତାରେ ପକାଇ ଦେଇଥିଲା। ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ ଜେ ଇନଙ୍କ ପ୍ରୟାସ ଦ୍ବାରା କିମ୍ ଏବଂ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୨୦୧୮ମସିହା ଜୁନରେ ସିଙ୍ଗାପୁରରେ ପ୍ରଥମ ଥର ଚର୍ଚ୍ଚା ହୋଇଥିଲା। ଏହା ପରେ ଦୁଇ ନେତା ୨୦୧୯ଫେବୃୟାରୀ ଭିୟତନାମରେ ମଧ୍ୟ ଭେଟିଥିଲେ। କଥାବାର୍ତ୍ତା ପରେ ହିଁ କିମ୍ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ଅପ୍ରେଲ୍ ୧୨ତାରିଖରେ କିମଙ୍କ କାର୍ଡ଼ିଓଭାସ୍କୁଲାର ସର୍ଜରୀ ହୋଇଥିଲା। ରିପୋର୍ଟ ମୁତାବକ କିମ୍ ଅତ୍ୟଧିକ ସିଗାରେଟ୍ ଟାଣନ୍ତି। ତାଙ୍କୁ ମେଦବହୁଳତା ସମସ୍ୟା ଥିଲେ ସୁଦ୍ଧା ସେ ଅଧିକ କାମ କରନ୍ତି। ତାଙ୍କର ହାୟଙ୍ଗସନ କାଉଣ୍ଟି ସ୍ଥିତ ଭିଲାରେ ଚିକିତ୍ସା ହୋଇଥିଲା। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ସୁଧୁରିଥିଲା। ତାଙ୍କ ଚିକିତ୍ସାରେ ଲାଗିଥିବା ମେଡିକାଲ୍ ଟିମର ଅଧିକାଂଶ ସଦସ୍ୟ ଅପ୍ରେଲ୍ ୧୯ତାରିଖରେ ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ଫେରି ଆସିଥିଲେ। ଆଉ କେତେକ ସଦସ୍ୟ ତାଙ୍କ ଦେଖାଶୁଣା କରିବାକୁ ସେଠାରେ ରହିଥିଲେ।

ଆମେରିକା ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍ ଏବଂ ନ୍ୟାସନାଲ୍ ଇଣ୍ଟେଲିଜେନ୍ସର ନିର୍ଦେଶକଙ୍କ ତରଫରୁ କିମଙ୍କ ସମ୍ବନ୍ଧରେ କୌଣସି ବୟାନ ଦେବାକୁ ମନା କରାଯାଇଛି। ଉତ୍ତର କୋରିଆରେ ପ୍ରେସର ସ୍ବାଧୀନତା ନାହିଁ। ମିଡିଆ ଉପରେ ପୂରାପୂରି କିମଙ୍କ ନିୟନ୍ତ୍ରଣ ରହିଛି,ତାଙ୍କ ସମ୍ବନ୍ଧିତ କୌଣସି ଖବର ସହଜରେ ବାହାରକୁ ଯାଇପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.