ଜାପାନକୁ ହୈଶେନ୍‌ ଭୟ: ୨୪ ଘଣ୍ଟାରେ ୮ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି ସରକାର

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬/୦୯:  ଜାପାନ ପାଇଁ ଆସୁଛି ଆଉ ଏକ ବଡ଼ ବିପଦ। ଭୟଙ୍କର ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡ଼ିଆସୁଛି ଟାଇଫୁନ୍‌ ହୈଶେନ୍‌ । ତେବେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜାପାନ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରବିବାର ଜାପାନର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଅଞ୍ଚଳରେ ବାସ କରୁଥିବା ୮,୧୦,୦୦୦ ଲୋକଙ୍କୁ ତୁରନ୍ତ ସ୍ଥାନନ୍ତର କରିବାକୁ ଲାଗିଛନ୍ତି ସରକାର । ଏନେଇ ଜାତୀୟ ପ୍ରସାରଣ ସଂସ୍ଥା ଏନଏଚ୍‌କେ ପକ୍ଷରୁ ସୂଚନା ମିଳିଛି । ଏହିସବୁ ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକୁ ୫.୫ ମିଲିୟନ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ।

ଜାପାନର ପାଣିପାଗ ବିଭାଗରେ ଜଣେ ଅଧିକାରୀଙ୍କ ଅନୁସାରେ, ହୈଶେନ୍‌ ଆଜି ୮ଟା ବେଳକୁ ଦେଶର ଦକ୍ଷିଣରେ ଅବସ୍ଥିତ ୟାକୁସିମା ଆଇଲ୍ୟାଣ୍ଡ ଠାରୁ ୭୦ କି.ମି ଦୂରରେ ଥିଲା । ଏହାସହ ଟାଇଫୁନ ହୈଶେନ୍‌ ୩୫ କି.ମି ବେଗରେ ଉତ୍ତର ଆଡ଼କୁ ମୁହାଁଉଥିବା ଜଣାପଡ଼ିଛି । ତେବେ ଯେଉଁ ଅଞ୍ଚଳ ଦେଇ ହୈଶେନ୍‌ ଗତି କରିବ ସେହିସବୁ ଅଞ୍ଚଳରେ ପବନର ବେଗ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି ।

ଯଥାସମ୍ଭବ ସତର୍କତା ଗ୍ରହଣ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ନିର୍ଦେଶ ପାଳନ କରିବାକୁ ଅଧିକାରୀ ଜଣଙ୍କ ପରାମର୍ଶ ଦେଇଛନ୍ତି । ଏହାସହ ଯଦି ପବନ ପ୍ରଭାହିତ ହେଉଥିବା ଅଞ୍ଚଳକୁ ପ୍ରବେଶ କଲେ ଆଉ ବାହାରିବା ସହଜ ହେବନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ସୋମବାର ସୁଦ୍ଧା ଟାଇଫୁନ୍‌ ହୈଶେନ୍‌ ପ୍ରଭାବରେ ପବନର ବେଗ ୨୫୨ କି.ମି ପ୍ରତି ଘଣ୍ଟା ଛୁଇଁବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.