କେମିତି ଏତେ ନିଷ୍ଠୁର ହୋଇପାରେ ମଣିଷ ? ୨ ବର୍ଷର ଅନାଥ ଶିଶୁକୁ ମାଡ ମାରୁଥିବା ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ
7/08/2020 at 4:33 PM

ହିସାର ୦୭/୦୮ : ବାପା-ମା ନଥିବା ଏକ ନିରୀହ ଶିଶୁକୁ ଜଣେ କିଭଳି ଏମିତି ମାଡ ମାରିପାରେ | ଏକ ଅନାଥ ଶିଶୁ ପ୍ରତି ଏତେ ନିର୍ଦୟ ଭାବନା ଗୋଟେ ମଣିଷର କିଭଳି ହୋଇପାରେ ? ଏହିଭଳି ମାନସିକତା ସମ୍ପନ୍ନ ଲୋକ ସମାଜ ପାଇଁ କଳଙ୍କ ସଦୃଶ | ଏହିଭଳି ଏକ ଅମାନବିକତା ଦୃଶ୍ୟ ଦେଖିବାକୁ ମିଳିଛି ହରିୟାଣାରେ | ହରିୟାଣା ହିସାର ଜିଲ୍ଲାରେ ୨ ବର୍ଷର ଅନାଥ ଶିଶୁକୁ ଅତି ନିର୍ଦୟ ଭାବେ ପିଟିବାରେ ଭିଡିଓ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ ସାମାଜିକ ସଂସ୍ଥା ଶିଶୁକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଏବଂ ଶିଶୁକୁ କେମରୀ ରୋଡ଼ ସ୍ଥିତ କୁଞ୍ଜ ଅନାଥ ଆଶ୍ରମକୁ ପଠାଇ ଦେଇଛନ୍ତି | ମାମଲାରେ ଉକ୍ତ ବ୍ୟକ୍ତି ସମ୍ପର୍କରେ ଥାନାରେ ମଧ୍ୟ ଅଭିଯୋଗ ହୋଇଛି | ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଋଷି ନଗର ସ୍ଥିତ ରାଜୀବ ନାମକ ବ୍ୟକ୍ତିକୁ ଗିରଫ କରିଛି |
ମିଶନ୍ ସେଭ୍ ଶିଶୁ ସଙ୍ଗଠନର ଅଧ୍ୟକ୍ଷ ଅନିତ ଜୈନ କହିଛନ୍ତି ଯେ ଋଷି ନଗରରେ ଜଣେ ମହିଳା ନିଜ ସ୍ୱାମୀ ଓ ଦୁଇ ବର୍ଷର ଶିଶୁ ସହିତ ଭଡା ଘରେ ରହୁଥିଲେ | କିନ୍ତୁ ତାଙ୍କୁ ତାଙ୍କ ସ୍ୱାମୀ ଛାଡି ଚାଲିଯାଇଥିଲା | କିଛି ଦିନ ପୂର୍ବରୁ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା | ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା |

ମହିଳାଙ୍କ ମୃତ୍ୟୁ ପରେ ଘର ମାଲିକ ମହିଳାଙ୍କ ସମ୍ପର୍କୀୟଙ୍କୁ ତାଙ୍କ ଝିଅକୁ ନେଇଯିବାକୁ କହିଥିଲେ | ଘର ମାଲିକ କହିଥିଲେ ଯେ ରାଜୀବ ନାମକ ଜଣେ ବ୍ୟକ୍ତି ଶିଶୁକୁ ମାଡ ମାରେ | ସୁରେଶ ନାମକ ଜଣେ ଯୁବକ ଘରର ସିସିଟିଭି ଫୁଟେଜ ବାହାର କରିଥିଲେ | ଫୁଟେଜରେ ଜଣେ ବ୍ୟକ୍ତି ଶିଶୁକୁ ମାଡ ମାରୁଥିବା ଦୃଶ୍ୟ ସ୍ପଷ୍ଟ ନଜର ଆସୁଛି | ଏହି ଫୁଟେଜ ଆଧାରରେ ମିଶନ ସେଭ୍ ଶିଶୁ ସଙ୍ଗଠନକୁ ସୂଚନା ଦିଆଯାଇଥିଲା | ଏହାପରେ ସିଡବ୍ଲ୍ୟୁସି ସାହାଯ୍ୟରେ ଶିଶୁକୁ ଶୈଶବ କୁଞ୍ଜ ପଠାଇ ଦିଆଯାଇଥିଲା |
ହିସାର ସିଟି ଥାନା ପ୍ରଭାରୀ ବିନୋଦ କୁମାର କହିଛନ୍ତି ଯେ ଶିଶୁକୁ ମାରପିଟ କରୁଥିବା ଭିଡିଓ ସାମ୍ନାକୁ ଆସିଛି | ମାମଲାରେ ଅଭିଯୁକ୍ତ ରାଜୀବକୁ ଗିରଫ କରାଯାଇଛି |