ସ୍ବାମୀ ପାଇଁ କରବା ଚୌଥ ପୂଜାରେ କଳି ଲାଗିଗଲେ ଦୁଇ ସଉତୁଣୀ, ଜଣେ ଅନ୍ୟଜଣଙ୍କ ଉପରକୁ ଫିଙ୍ଗିଦେଲା ଜଳନ୍ତା ଦୀପ

Published By : Prameya-News7 Bureau | November 05, 2020 IST

ଶିକୋହାବାଦ ୫/୧୧: ଦୁଇ ଭାର୍ଯ୍ୟାରେ ଘର କାହାକୁ କରିବି ପର ! ଜଣେ ସ୍ବାମୀଙ୍କ ଦୁଇ ସ୍ତ୍ରୀ। ଦୁଇ ସ୍ତ୍ରୀଙ୍କ କଳି ଶୁଣିବା ଛଡ଼ା ଉପାୟ କିଛି ନାହିଁ। ସ୍ବାମୀ ଜଣେ ଆରପିଏଫ ଯବାନ ହୋଇଥିବା ବେଳେ ଏବେ ଦୁଇ ପତ୍ନୀଙ୍କ କଳି ଥାନାରେ ପହଞ୍ଚିଛି। ଶିକୋହାବାଦ ଆରପିଏଫ ଥାନାରେ କାର୍ଯ୍ୟରତ ପଙ୍କଜ ନାମକ ଜଣେ ବ୍ୟକ୍ତିଙ୍କ ଦୁଇ ଜଣ ପତ୍ନୀ ଅଛନ୍ତି।ସେମାନଙ୍କ ନାଁ ଅନନ୍ୟା ଓ ପୁନମ। ସବୁବେଳେ ଦୁଇ ଜଣଙ୍କ ମଧ୍ୟରେ କିଛି ନା କିଛି କଥାରେ ଝଗଡ଼ା ହେଉଥିଲା। କିନ୍ତୁ ସ୍ବାମୀଙ୍କ ପାଇଁ କରିଥିବା କରବା ଚୌଥ ପୂଜାରେ ବି କଳି ଲାଗିଗଲେ ଦୁଇ ସଉତୁଣୀ। ପରେ ଜଣେ ଅନ୍ୟ ଜଣଙ୍କ ଉପରକୁ ଫିଙ୍ଗି ଦେଇଥିଲା ଜଳନ୍ତା ଦୀପ।

ମିଳିଥିବା ସୂଚନା ଅନୁସାରେ ପଙ୍କଜଙ୍କ ଦୁଇ ପତ୍ନୀ କରବା ଚୌଥ ବ୍ରତ ରଖିଥିଲେ। ସେହି ଦିନ ରାତିରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା। ଏହି ସମୟରେ ଉତ୍ୟକ୍ତ ହୋଇ ଅନନ୍ୟା, ପୁନମଙ୍କ ଉପରକୁ ଜଳନ୍ତା ଦୀପ ଫୋପାଡ଼ି ଦେଇଥିଲେ। ଏହା ଦ୍ବାରା ପୁନମଙ୍କ ଶାଢ଼ୀରେ ନିଆଁ ଲାଗିଯିବା ସହ ତାଙ୍କ ଶରୀରର କିଛି ଅଂଶ ଜଳିଯାଇଥିବା ଅଭିଯୋଗ କରିଛନ୍ତି ପୁନମ।

ଅନନ୍ୟାଙ୍କ ଆକ୍ରମଣରେ ପୁନମ ଗୁରୁତର ହୋଇଥିବା ବେଳେ ସଙ୍ଗେ ସଙ୍ଗେ ୧୦୦ ନମ୍ବରରେ ଡାଏଲ କରି ସେମାନେ ରହୁଥିବା ରେଲ୍‌ଓ୍ବେ କଲୋନିକୁ ପୋଲିସ୍‌ ଡକାଇଥିଲେ। ତେବେ ପୋଲିସ ପହଞ୍ଚି ପୁନମଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ରେଫର କରିଛନ୍ତି।

ମାମଲାକୁ ନେଇ ଥାନାଧିକାରୀ ସୁନିଲ କୁମାର ତୋମାର କହିଛନ୍ତି, ଏମାନେ ଦୁଇ ଜଣ ଆରପିଏଫ ଯବାନ ପଙ୍କଜଙ୍କ ପତ୍ନୀ। ସଉତୁଣୀ ଜଳନ୍ତା ଦୀପ ଫୋପାଡ଼ି ତାଙ୍କୁ ଗୁରୁତର କରିଥିବା କହିଛନ୍ତି ଜଳି ଯାଇଥିବା ମହିଳା। ତେବେ ଏନେଇ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିବ ବୋଲି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.