ଅଷ୍ଟ୍ରେଲିଆ ଉପକୂଳକୁ ମୁହାଁଇଛି ୨ଟି ସାମୁଦ୍ରିକ ବାତ୍ୟା, ଅନୁଭୂତ ହେବ ‘ଫୁଜିୱରା’ ପ୍ରଭାବ : ପାଣିପାଗ ବିଜ୍ଞାନରେ ବିରଳ ଘଟଣା

Published By : Prameya-News7 Bureau | April 10, 2021 IST

କାନବେରା ୧୦।୪: ଅଷ୍ଟ୍ରେଲିଆକୁ ମୁହାଁଇଛି ଏକକାଳୀନ ୨ଟି ସାମୁଦ୍ରିକ ବାତ୍ୟା। ଯାହାକୁ ପାଣିପାଗ ବିଜ୍ଞାନରେ ଏକ ବିରଳ ଘଟଣା ବୋଲି କୁହାଯାଉଛି। ଏଭଳି ପରିସ୍ଥତି ଉପୁଜିଲେ ‘ଫୁଜିୱାରା’ ପ୍ରଭାବ ଅନୁଭୂତ ହୁଏ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଏହା ପୂର୍ବରୁ ୧୯୫୦ ମସିହାରେ ଅଷ୍ଟ୍ରେଲିଆ ମହାଦ୍ୱୀପ ଏହିପରି ବିରଳ ପ୍ରାକୃତିକ ଦୁର୍ବିପାକ୍‌ର ସମ୍ମୁଖୀନ ହୋଇଥିବା ରେକର୍ଡ ରହିଛି। ଏପରି ହେଲେ ବାତ୍ୟାର ମାର୍ଗ ନିର୍ଦ୍ଧାରଣ କରି ଲୋକଙ୍କୁ ସତର୍କ କରାଇବା ମେଟ୍ରୋଲଜିଷ୍ଟଙ୍କ ଲାଗି କଷ୍ଟକର ହୋଇପଡିବ ବୋଲି ଏବେ ଆଶଙ୍କା କରାଯାଉଛି।

{"id":436300,"width":836,"height":508,"sizeSlug":"large","linkDestination":"none"}

ଅଷ୍ଟ୍ରେଲିଆ ଉପକୂଳରେ ଏବେ ‘ସେରୋଜା’ ଏବଂ ‘ଓଡେଟା’ ନାମରେ ୨ଟି ଘୂର୍ଣ୍ଣିବାତ୍ୟା  ସକ୍ରିୟ ହୋଇଛନ୍ତି। ଏହି ଅନ୍ତର୍ନିହିତ ପ୍ରଣାଳୀଲାଗି ଅଷ୍ଟ୍ରେଲିଆର ଏକ ବିଶାଳ ଭାଗ ଆଗାମୀ କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି। ‘ନାଇନ୍‌ ନ୍ୟୁଜ୍‌’ ଅନୁସାରେ ଓଡେଟା ଏକ ସାଧାରଣ ଲଘୁଚାପ ଭାବେ ଦେଖାଯାଇଥିଲା। ହେଲେ ଶୁକ୍ରବାର ସକାଳେ ଏହା ଘୂର୍ଣ୍ଣିବାତ୍ୟାର ରୂପ ନେଇଛି।

ସେପଟେ ସମୁଦ୍ରରେ ସୃଷ୍ଟି ହୋଇଥିବା ‘ସେରୋଜା’ ନାମରେ ଅନ୍ୟ ଏକ ଲଘୁଚାପ ଘୂର୍ଣ୍ଣିଝଡର ରୂପେ ନେଇସାରିଲାଣି। ଏହା ଏକ କ୍ୟାଟଗରୀ-୩ ଶ୍ରେଣୀୟ ବାତ୍ୟାରେ ପରିଣତ ହୋଇଥିବା ବେଳେ ରବିବାର ଅଷ୍ଟ୍ରେଲିଆ ଉପକୂଳରେ ମାଡ଼ ହେବ। ଘଣ୍ଟାପ୍ରତି ୯୩ ମାଇଲ ବେଗରେ ଉପକୂଳକୁ ମୁହାଁଇଥିବା ସେରୋଜା ୯୬୦ ମାଇଲ ଦୀର୍ଘ ଉପକୂଳରେ ତାଣ୍ଡବ ରଚିବ। ଏ ନେଇ ଉପକୂଳବର୍ତ୍ତି ଅଞ୍ଚଳକୁ ସତର୍କ କରାଯାଇଥିବା ବେଳେ ଲୋକଙ୍କୁ ବର୍ଷା ଓ ପବନର ଭୟବହତା ସମ୍ପର୍କରେ ସୂଚିତ କରାଯାଇଛି।

{"id":436301,"sizeSlug":"large","linkDestination":"none"}

ସେପଟେ ଓଡେଟା ଶନିବାର ବିଳମ୍ବିତ ରାତ୍ରିସୁଧା ବର୍ଷା ଓ ପବନ ସହ ଉପକୂଳକୁ ପହଞ୍ଚିବ। ଫଳରେ ବିସ୍ତିର୍ଣ୍ଣ ଅଞ୍ଚଳରେ ଅଚାନକ ବନ୍ୟା ଭଳି ପରିସ୍ଥିତି ସୃଷ୍ଟିକରିବା ସହ ବ୍ୟାପକ କ୍ଷଯକ୍ଷତି ହୋଇପାରେ। ଉଭୟ ବାତ୍ୟା କେନ୍ଦ୍ରୀୟ ଅଷ୍ଟ୍ରେଲିଆ ଆଡକୁ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ପଶ୍ଚିମ ଅଷ୍ଟ୍ରେଲିଆ ଉପକୂଳରେ ମଧ୍ୟ ଅନୁଭୂତ ହେବ। ଯେତେବେଳେ ସମୁଦ୍ରରେ ସମାନ ଶକ୍ତିର ୨ଟି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ ସେତେବେଳେ ସ୍ଥଳଭାଗରେ ଫୁଜିୱାରା ପ୍ରଭାବ ଅନୁଭୂତ ହୁଏ ବୋଲି ମୋଟ୍ରୋଲଜିଷ୍ଟ ବେନ୍ ଡୋମେନସିନୋ କହିଛନ୍ତି।

{"id":436303,"width":838,"height":564,"sizeSlug":"large","linkDestination":"none"}

ଫୁଜିୱାରା ପ୍ରଭାବ କଣ ?
ନିକଟବର୍ତ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ଦୁଇଟି ଘୂର୍ଣ୍ଣିବଳୟ ଯେତେବେଳେ ପରସ୍ପର ଆଖପାଖରେ ଘୂରିବୁଲନ୍ତି ସେତେବେଳେ ଫୁଜିୱାରା ପ୍ରଭାବ ଅନୁଭୂତ ହୁଏ। ଦୁଇଟି ଘୂର୍ଣ୍ଣିବଳୟ ପରସ୍ପର ସହ ମିଶି ଏକ ବିଶାଳ ଘୂର୍ଣ୍ଣିବାତ୍ୟା ସୃଷ୍ଟି କରିଥାନ୍ତି। ପବନ ଚାପ ଯୋଗୁ ସୃଷ୍ଟି ହେଉଥିବା ଘୂର୍ଣ୍ଣିବାତ୍ୟାର ଏପରି ପ୍ରକ୍ରିୟାକୁ ପ୍ରଥମେ ଜାପାନୀ ପାଣିପାଗବିଦ୍‌ ସକୁହୀ ଫୁଜିୱାରା ଉଦଭାବନ କରିଥିଲେ। ଏଣୁ ଘୂର୍ଣ୍ଣିବାତ୍ୟାରେ ଏପରି ପରିସ୍ଥିତିକୁ ଫୁଜିୱାରାଙ୍କ ନାମରେ ନାମିତ କରାଯାଇଛି। ୧୯୫୦ ମସିହାରେ ଅଷ୍ଟ୍ରେଲିଆରେ ଦୁଇଟି ଘୂର୍ଣ୍ଣିବାତ୍ୟା ଯୋଗୁ ଫୁଜିୱାରା ପ୍ରଭାବ ଅନୁଭୂତ ହୋଇଥିବାର ଇତିହାସ ରହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.