ଦୁର୍ଘଟଣା ପରେ ଜଳିଗଲା ଟ୍ରକ, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ
14/12/2019 at 8:30 AM

ସମ୍ବଲପୁର ୧୪।୧୨: ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର । ଲୁହା ପଥର ବୋଝେଇ ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ପରସ୍ପର ସହ ଧକ୍କା ହୋଇ ଘଟଣାସ୍ଥଳରେ ୨ଟି ଯାକ ଗାଡି ଜଳିଯାଇଛି । ଆଉ ୨ଟି ଯାକ ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଯୁଜୁମୁରା ଥାନା ନିକଟରେ ଏକ ଟ୍ରକ୍ ସହ ଗ୍ୟାସ୍ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଗ୍ୟାସ୍ ଟ୍ୟାଙ୍କରର ତେଲ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଟି ଗାଡ଼ିର ଭୟାବହ ନିଆଁ ଲାଗିଯାଇଥିଲା, ଯାହାଫଳରେ କି ଗାଡିରେ ଥିବା ଉଭୟ ଡ୍ରାଇଭର ବାହାରିନପାରି ଜୀଅନ୍ତା ଜଳି ଯାଇଛନ୍ତି । ମୃତକଙ୍କ ପଚିଚୟ ମିଳିପାରିନାହିଁ ।

ତେବେ ଖବର ପାଇ ଘଟଣାସ୍ଥଳରେ ଯୁଜୁମୁରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସମ୍ବଲପୁର ଓ ରେଢ଼ାଖୋଲରୁ ଦମକଳ ବାହିନୀ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗାଡ଼ିରେ ଗ୍ୟାସ୍ ଲୋଡିଂ ଥିବାରୁ ଅଗ୍ନିଶମ ବାହିନୀ କୁଲିଂ ପ୍ରକ୍ରିୟା ଜାରି ରଖିଛି ।