Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅଲିମ୍ପିକ ପୋଡିୟମରେ ଛାତି ଚଉଡା କରି ଛିଡା ହେଉଥିବା ପହିଲମାନ ଆଜି ମୁହଁ ଲୁଚାଇବାକୁ ବିବଶ…

23/05/2021 at 6:28 PM

ନୂଆଦିଲ୍ଲୀ ୨୩।୦୫: ନୂଆଦିଲ୍ଲୀର ଯେଉଁ ଛତ୍ରସାଲ ଷ୍ଟାଡିୟମରେ ସୁଶୀଳ କୁମାର ପହଲବାନି କ୍ୟାରିୟର ଆରମ୍ଭ କରିଥିଲେ, ସେଠାରେ ଜଣେ ଯୁବ ପହିଲମାନଙ୍କ ହତ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ନଫଜଗଡରେ ଜନ୍ମ ହୋଇଥିବା ସୁଶୀଲ କୁମାର ୧୪ ବର୍ଷ ବୟସରେ ମୋଡେଲ୍ ଟାଉନର ଛତ୍ରସାଲ ଷ୍ଟାଡିୟମରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ଘରର ମୁରବୀଙ୍କ ଆର୍ଥିକ ସ୍ଥିତି ସେତେ ସ୍ଵଚ୍ଛଳ ନଥିଲା, ଯଦ୍ଵାରା ସେ ଦୁଇ ପୁଅଙ୍କୁ ଟ୍ରେନିଂ ଦେଇ ପାରିନଥିଲେ। ଫଳରେ ଭାଇ ସନ୍ଦୀପଙ୍କୁ ପହଲବାନି ଛାଡିବାକୁ ପଡିଥିଲା ଏବଂ ସୁଶୀଲଙ୍କୁ ରିଙ୍ଗକୁ ଓହ୍ଲା ଯାଇଥିଲା। ଏହା ପରେ ସୁଶୀଲ କଠୋର ପରିଶ୍ରମ କରି ଗୋଟିଏ ପରେ ଗୋଟିଏ ପଦକ ଜିତି ଚାଲିଲେ। ଜୁନିୟର ଚମ୍ପିଆନସିପ୍, ଏସିଆନ ଚମ୍ପିଆନସିପ୍, ରାଜ୍ୟ ଗୋଷ୍ଠୀ କ୍ରୀଡା ଓ ଅଲିମ୍ପିକରେ ପଦକ ଜିତିଥିଲେ।

୨୦୧୨ରେ ସୁଶୀଲ କୁମାର ପହଲବାନିର ଶିଖର ଛୁଇଁଥିଲେ। ଏଠାରୁ ହିଁ ଆରମ୍ଭ ହୋଇଥିଲା ସୁଶୀଲଙ୍କ ଜୀବନର ଓଲଟା କାହାଣୀ। ଆଜି ସୁଶୀଲ କୁମାର ହତ୍ୟା ମାମଲାରେ ଜେଲ୍‌ ଚାରି କାନ୍ଥ ଭିତରେ। ଯେଉଁ ଖେଳାଳି ପୋଡିୟମ ଉପରେ ଛାଡି ଚଉଡା କରି ଛିଡା ହୋଇ ଦେଶକୁ ଗୌରବାନ୍ଵିତ କରିବା ସହ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିତିଥିଲେ ସେହି ସୁଶୀଲ କୁମାରଙ୍କୁ ଆଜି ମୁହଁ ଲୁଚାଇବାକୁ ବିବଶ।

ସଫଳତାର କାହାଣୀ ୧୯୯୮ରେ ଆରମ୍ଭ

ସୁଶୀଲ କୁମାରଙ୍କ ସଫଳତାର କାହାଣୀ ୧୯୯୮ରେ ଆରମ୍ଭ ହୋଇଥିଲା। ଓ୍ଵାର୍ଲ୍ଡ କ୍ୟାଡେଟ୍ ଗେମ୍ସରେ ସେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆ ଚମ୍ପିଆନସିପ୍‌ରେ ମଧ୍ୟ ସ୍ଵର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ। ସେ ଆଗକୁ ବଢି ଏସିଆନ ରେସଲିଂ ଚମ୍ପିଆନସିପ ଜିତି ରେସଲିଂ କ୍ଷେତ୍ରରେ ନିଜ ସ୍ଥିତିକୁ ସୁଦୃଢ କରିଥିଲେ। ୨୦୦୩ରେ ମଧ୍ୟ ଏହି ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସଫଳତାକୁ ଦୋହରାଇଥିଲେ ସୁଶୀଲ। ସବୁଠୁ ବଡ ଆଶା ଥିଲା ଯେ, ସୁଶୀଲ ୨୦୦୪ ଅଲିମ୍ପିକରେ ନିଶ୍ଚୟ ଦେଶ ପାଇଁ ପଦକ ଜିତିବେ। ହେଲେ ସେ ନିରାଶ କରିଥିଲେ। ଏହା ସେହି ସମୟରେ ଥିଲା ଯେବେ ସୁଶୀଲଙ୍କୁ ନୂତନ ପରିଚୟ ମିଳିବା ଆରମ୍ଭ ହୋଇ ଯାଇଥିଲା।

୨୦୧୨ରେ ପୂରା ଦୁନିଆରେ ଛାଇଗଲେ

ଅଲିମ୍ପିକ ପଦକ ଦୂର ଥିଲେ ବି ବାକି ଟୂର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ଜିତି ଚାଲିଥିଲେ। ୨୦୦୫ ଓ ୨୦୦୭ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ଏହି ସଫଳତା ଦୋହରାଇଥିଲେ। ତାଙ୍କର ଏହି ସଫଳତାରେ କେନ୍ଦ୍ର ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ଶେଷରେ ୨୦୦୮ ଅଲିମ୍ପିକରେ ସେ କାଂସ୍ୟ ପଦକ ଜିତିଥିଲେ ଏବଂ ୨୦୧୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଭାରତ ସେତେବେଳେ ଏମିତି ସମୟରେ ଥିଲା ଯେଉଁ ସମୟରେ ଅଲିମ୍ପିକରେ ଗୋଟିଏ ବି ପଦକ ଜିତିବା ବହୁତ ବଡ କଥା ଥିଲା। ସୁଶୀଲ କୁମାରଙ୍କୁ ଏହି ସୁଯୋଗ ଦୁଇ ଦୁଇ ଥର ମିଳିଥିଲା। ୨୦୧୨ ଅଲିମ୍ପିକରେ ସୁଶୀଲ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ଏକ ମାତ୍ର ଭାରତୀୟ ରେଲସର ଭାବେ ସେ ଦୁଇ ଦୁଇଟି ଅଲିମ୍ପିକ ପଦକ ଜିତିଥିଲେ। ପୂରା ଦୁନିଆରେ ଛାଇ ଯାଇଥିଲେ ସୁଶୀଲ କୁମାର।

ପହିଲମାନରୁ ରୋଲ୍ ମୋଡେଲ୍ ହୋଇ ସାରିଥିଲେ ସୁଶୀଲ

ସୁଶୀଲଙ୍କୁ ଭାରତୀୟ ରେଲଓ୍ଵେରେ ଚାକିରି ମିଳିଥିଲା ଏବଂ ଛତ୍ରସାଲ ଷ୍ଟାଡିୟମରେ ଓଏସଡି ପଦରେ ନିଯୁକ୍ତି ମିଳିଥିଲା। ସୁଶୀଲ କୁମାର ୨୦୧୨ ପରେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟି ସାରିଥିଲେ। ପହିଲମାନ ହେବାକୁ ଚାହୁଁଥିବା ପ୍ରତିଟି ଯୁବକ ତାଙ୍କୁ ଆଦର୍ଶ ମାନୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲା ସାଗର ଧନଖଡ। ସାଗର ୨୦୧୨-୧୩ରେ ଛତ୍ରପାଲ ଷ୍ଟାଡିୟମ ଆସିଥିଲା। ଏଠାରେ ତାର ଟେଷ୍ଟ ନିଆଯାଇଥିଲା। ଆଉ ପରୀକ୍ଷା ନେଇଥିବା ବ୍ୟକ୍ତି ସୁଶୀଲ  ହିଁ ଥିଲେ।

ସୁଶୀଲଙ୍କ ଶ୍ଵଶୁର ତଥା ଛତ୍ରସାଲ  ଷ୍ଟାଡିୟମରେ ପହିଲମାନ ସ୍କୁଲ ସଞ୍ଚାଳନ କରୁଥିବା ସତପାଲ ସିଂହ ମଧ୍ୟ ସାଗରଙ୍କ ପ୍ରତି ପ୍ରଭାବିତ ହୋଇଥିଲେ। ହୋଷ୍ଟେଲରେ ସାଗରଙ୍କୁ ରୁମ ମଧ୍ୟ ମିଳିଥିଲା। ତାର ପ୍ରଶିକ୍ଷଣ ଆରମ୍ଭ ହୋଇ ଯାଇଥିଲା। ସାଗର ବହୁତ ଭଲ ପହିଲମାନ ଥିଲା। ଦେଶ-ବିଦେଶରେ ଅନେକ ପଦକ ଜିତିଥିଲା। ଗତ ବର୍ଷ ପର୍ଯ୍ୟନ୍ତ ଏହି ହୋଷ୍ଟେଲରେ ରହିଥିଲା। ଏହା ପରେ ମୋଡେଲ୍ ଟାଉନ ଏମ ବ୍ଲକକୁ ଚାଲି ଯାଇଥିଲା। ଅଭିଯୋଗ ହୋଇଛି ଯେ, ଯେଉଁ ଫ୍ଲାଟରେ ସାଗର ରହୁଥିଲା, ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା।

ମେ ୪ରେ ଅଭିଯୁକ୍ତ ହୋଇଗଲେ ସୁଶୀଲ କୁମାର

ଚଳିତ ମାସ ୪ ତାରିଖ ରାତି ପ୍ରାୟ ୧୧ଟାରେ ଏମ ବ୍ଲକର ସେହି ଫ୍ଲାଟରେ କିଛି ଲୋକ ପହଞ୍ଚିଥିଲେ। ସାଗର ଓ ତାର ସାଥୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା। ସାଗରଙ୍କ ବ୍ୟତୀତ ଯାହାଙ୍କୁ ଅପହରଣ କରାଯାଇଥିଲା, ସେହି ବ୍ୟକ୍ତିଙ୍କ ଅନୁଯାୟୀ କାରରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଦୁକ ମୁନରେ ଛତ୍ରସାଲ ଷ୍ଟାଡିୟମ ନିଆଯାଇଥିଲା, ଯେଉଁଠି ସୁଶୀଲ କୁମାର ନିଜର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ସେଠାରେ ସାଗରର କ୍ୟାରିରୟ ମଧ୍ୟ ଆଗକୁ ବଢିଥିଲା।

ଅଭିଯୋଗ ହୋଇଛି ଯେ, ଛତ୍ରସାଲ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାର ଦୁଇ ସାଙ୍ଗ ସୋନୁ ଓ ଅମିତ କୁମାରଙ୍କୁ ନିର୍ମମ ଭାବେ ମାଡ ମରାଯାଇଥିଲା। ତିନି ଜଣଙ୍କ ଅବସ୍ଥା ଗୁରୁତର  ହୋଇ ପଡିଥିଲା। ସଭିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରଠୁ ସୁଶୀଳ କୁମାର ଫେରାର ହୋଇ ଯାଇଥିଲେ।

   Related Posts