କିଏ ଦେବ ସ୍ୱାମୀଙ୍କୁ ମୁଖାଗ୍ନୀ ? ସ୍ୱର୍ଗଦ୍ୱାରରେ ମୁହାଁମୁହିଁ ହେଲେ ୨ ସଉତୁଣୀ

Published By : Prameya-News7 Bureau | March 02, 2021 IST

ପୁରୀ,୦୨/୦୩: ସ୍ୱାମୀର ମୃତଦେହ ପୋଡିବାକୁ ମୁହାଁମୁହିଁ ହେଲେ ୨ ସଉତୁଣୀ । କିଏ ଦାହ କରିବ ମୃତଦେହ, ତାକୁ ନେଇ ଆରମ୍ଭ ହୋଇଗଲା ଟଣାଓଟରା । ପୁରୀ ସ୍ୱର୍ଗଦ୍ୱାରରେ ଘଟିଛି ଏହି ଅଭାବନୀୟ ଘଟଣା । ଏପରିକି ବାପାଙ୍କ ମୁହଁରେ କିଏ ନିଆଁ ଦେବ ବୋଲି ସ୍ଥିର ହୋଇପାରିନଥିବା ବେଳେ ଦୁଇ ପତ୍ନୀଙ୍କ ପୁଅଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ ବି କଥା ଯାଇଛି । ମୁଖାଗ୍ନି ନପାଇ ଦୀର୍ଘ ସମୟ ଧରି ସ୍ୱର୍ଗଦ୍ୱାରରେ ମୃତଦେହ ମଧ୍ୟ ପଡି ରହିଥିଲା । ଶେଷରେ ପୋଲିସର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି । ୨ ପୁଅ ମିଶି ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଛନ୍ତି ।

ମୃତ ବ୍ୟକ୍ତି ଜଣକ ପୁରୀ ବାସେଳୀ ସାହି ଥାନା ଅଞ୍ଚଳରେ ରହୁଥିବା ଗଦାଧର ଜେନା । ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରୁଥିଲେ । ତେବେ ଅବସର ପୂର୍ବରୁ ଗଦାଧରଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ,  ପ୍ରଥମ ପତ୍ନୀଙ୍କ ଘର ବ୍ରହ୍ମଗିରି ଥାନା ଅଧୀନ ବେଣ୍ଟପୁର କଣ୍ଟାସାହି । ଦ୍ୱିତୀୟ ପତ୍ନୀ ବାସେଳୀ ସାହି ଥାନା ଅଞ୍ଚଳରେ ରହୁଥିଲେ । ଦ୍ୱିତୀୟ ପତ୍ନୀଙ୍କ ପାଖରେ ରହୁଥିଲେ ଗଦାଧର । ଅସୁସ୍ଥତା ଯୋଗୁଁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଗଦାଧରଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ। ତେଣୁ ରବିବାର ରାତି ୧୧ଟାରେ ମୃତଦେହ ଧରି ଦ୍ୱିତୀୟ ପତ୍ନୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ । ସେପଟେ ଖବର ପାଇ ପ୍ରଥମ ପତ୍ନୀ ମଧ୍ୟ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିବାଦ । କାରଣ ଦୁଇ ପତ୍ନୀଙ୍କ ପାଖରେ ଥିଲେ ଦୁଇ ପୁଅ ।

କିଏ ମୁଖାଗ୍ନି ଦେବ ବୋଲି ବିବାଦ ସୃଷ୍ଟି ହୋଇଥିଲା । ପ୍ରଥମ ପତ୍ନୀଙ୍କ ପୁଅ ରଞ୍ଜିତ୍‌ ଜେନା ନିଜର ହକ୍‌ ଥିବା କହି ମୁଖାଗ୍ନି ଦେବାକୁ ଉଦ୍ୟମ କରୁଥିବାବେଳେ ଦ୍ୱିତୀୟ ପତ୍ନୀଙ୍କ ପୁଅ ବାସେଳୀ ସାହି ଅଞ୍ଚଳରୁ କିଛି ସାଥୀଙ୍କୁ ଡାକିଥିଲେ । ଏହା ଦେଖି ରଞ୍ଜିତ ମଧ୍ୟ ବେଣ୍ଟପୁର ଅଞ୍ଚଳରୁ କିଛି ସାଥୀଙ୍କୁ ଡାକିଦେଇଥିଲେ । ଦୁଇ ଗୋଷ୍ଠୀ ସ୍ୱର୍ଗଦ୍ୱାରରେ ପହଞ୍ଚି ଆରମ୍ଭ କରିଥିଲେ ଉତ୍ପାତ । ସେହି ସମୟରେ ପିସିଆର୍‌ ସେଠାରେ ପହଞ୍ଚିଥିଲା । ଦୁଇ ଗୋଷ୍ଠୀ ହାତାହାତି ହୋଇଯାଇଥିଲେ । ଆୟତ୍ତ କରି ପାରିନଥିଲା ପିସିଆର୍‌ ପୁଲିସ । ତେଣୁ ଫେରି ଯାଇଥିଲା । ଦ୍ୱିତୀୟ ଥର ଦୁଇଟି ପିସିଆର୍‌ ପହଞ୍ଚିଥିବାବେଳେ ସମୁଦ୍ରକୂଳ ଥାନା ଆଇଆଇସି ଘଟଣାରେ ହସ୍ତକ୍ଷେପ କରିଥିଲେ ।

ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଥିଲେ ଯେ ଗଦାଧର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । ହେଲେ ଏହାକୁ ସେ ପ୍ରମାଣିତ କରି ପାରିନଥିଲେ । ତେଣୁ ବାଧ୍ୟ ହୋଇ ଦୁଇ ପୁଅ ମିଶି ମୁଖାଗ୍ନି ଦେବାକୁ ସ୍ଥିର କରାଯାଇଥିଲା । ତଥାପି ଅରାଜି ହେବାରୁ ପୋଲିସ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିଲା । ଏପରିକି ପୁଲିସ ପକ୍ଷରୁ ଶବଦାହ କରିଦିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଶେଷରେ ଦୁଇ ପତ୍ନୀଙ୍କ ଦୁଇ ପୁଅ ମିଶି ମୁଖାଗ୍ନି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.