ଡ୍ୟୁଟି ସମୟରେ ମାଡ଼ିଗଲା ଟ୍ରକ୍‌, ଚାଲିଗଲା ଦୁଇ ସେନା ଯବାନଙ୍କ ଜୀବନ

Published By : Prameya-News7 Bureau | February 02, 2021 IST

ବୁଲନ୍ଦସହର, ୦୨/୦୨: ସିକନ୍ଦରାବଦ ଅଞ୍ଚଳରେ ଗାଡ଼ିମାନଙ୍କର ଦ୍ରୁତ ଗତି ଦୁଇଟି ଜୀବନ ନେଇଛି । ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଟ୍ରକ୍‌ ଏବଂ ଅନ୍ୟ ଦିଗରୁ ଆସୁଥିବା ଏକ ହାଇୱା ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଏହାପରେ ହାଇୱାଟି ବ୍ୟାରିକେଡ୍‌ ଭାଙ୍ଗି କୃଷକଙ୍କୁ ଜଗିବା ପାଇଁ ଡ୍ୟୁଟି କରୁଥିବା ଦୁଇଜଣ ପିଏସି ଯବାନଙ୍କ ଉପରେ ଚଢ଼ି ଯାଇଥିଲା । ଯାହା ଫଳରେ ଦୁଇ ଯବାନଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଦୁଇଜଣ ଯବାନ ଆହାତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ଏବଂ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯାଇଛି ।

ଖବର ମୁତାବକ, ମୃତ ଦୁଇ ଯବାନ ୩୮ ବାଟାଲିୟନ୍‌ର ଥିଲେ ଏବଂ ସେମାନଙ୍କୁ ଅଲିଗଡ଼ରେ ଡ୍ୟୁଟି ପାଇଁ ପଠାଯାଇଥିଲା । ଦୁଇ ଯବାନ ଘର ଗାଜିଆବାଦ ଜିଲ୍ଲା ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ନାମ ପ୍ରବୀଣ କୁମାର ହୋଇଥିବା ଜଣାପଡ଼ିଥିବା ବେଳେ ସେ ୨୦୧୯ରେ ପିଏସିରେ ଭର୍ତ୍ତି ହୋଇଥିଲେ । ଯବାନଙ୍କ ମୃତ୍ୟୁ ଖବର ପାଇବାପରେ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି ।

ତେବେ ଦୁଇଟି ଗାଡ଼ି ଧକ୍କା ପରେ ରାସ୍ତାରେ ଭୀଷଣ ଜାମ୍‌ ଦେଖିବାକୁ ମିଳିଥିଲା । ଗାଡ଼ି ଦୁଇଟିକୁ ସାଇଡ୍‌ କରି ଯାତାୟତ କରାଯାଇଥିଲା । ଏନେଇ ସ୍ଥାନୀୟ ଏସ୍‌ପି ସୁରେନ୍ଦ୍ର ନାଥ ତିୱାରୀ କହିଛନ୍ତି ଯେ, ଆଲିଗଡ଼ରୁ ନୋଏଡ଼ା ଯାଉଥିବା ହାଇୱା ଅଚାନକ୍‌ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଫଳରେ ପାଖରେ ଡ୍ୟୁଟି କରୁଥିବା ଯବାନଙ୍କ ଉପରେ ମାଡ଼ିଯାଇଥିଲା ଏବଂ ସେଠାରେ ଦୁଇ ଯବାନ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ଯାଞ୍ଚ କରାଯାଉଥିବା ଏସ୍‌ପି କହିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.