ପିଜି ହଷ୍ଟେଲରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ଗଳାକାଟି ହତ୍ୟା

Published By : Prameya-News7 Bureau | August 16, 2019 IST

ଚଣ୍ଡିଗଡ ୧୬|୮: ପଞ୍ଜାବରେ ଦୁଇ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଚଣ୍ଡିଗଡ ଅଞ୍ଚଳରେ ଥିବା ପିଜି ହଷ୍ଟେଲରୁ ଦୁଇ ଉଭଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଦୁଇ ଭଉଣୀ ଅବୋହର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସର ସୂଚନା ଅନୁସାରେ ଉଭୟଙ୍କ ଗଳାକାଟି ହତ୍ୟା କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦ବର୍ଷ ବୟସ୍କା ରାଜବନ୍ତ କୌର ଏବଂ ୨୩ ବର୍ଷ ବୟସ୍କ ମନପ୍ରୀତି କୌର ଚଣ୍ଡିଗଡ ସେକ୍ଟର ୨୨ ସ୍ଥିତ ପିଜି ହଷ୍ଟେଲରେ କିଛି ଦିନ ତଳୁ ରହୁଥିଲେ । ଉଭୟ ଭଉଣୀ ଜିରକପୁର ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ଗୁରୁବାର ଦିନ ଯେତେବେଳେ ଦୁଇ ଭଉଣୀ କେହି ବି ଫୋନ୍ ଉଠାଇନଥିଲେ ଘର ଲୋକ ବ୍ୟସ୍ତ ହୋଇଯାଇଥିଲେ । ସେମାନେ ଚଣ୍ଡିଗଡରେ ରହୁଥିବା ତାଙ୍କର ସଂପର୍କୀୟଙ୍କୁ ଦୁଇ ଝିଅଙ୍କ ଖୋଜଖବର କରିବାକୁ କହିଥିଲେ । ସଂପର୍କୀୟମାନେ ପିଜି ହଷ୍ଟେଲରେ ପହଞ୍ଚିବା ବେଳକୁ ଉଭୟଙ୍କ ରୁମ୍ ବାହାରୁ ବନ୍ଦ ଥିଲା । ଯେତେବେଳେ ରୁମ୍ ର ଲକ୍ ଭଙ୍ଗାଗଲା ଭିତରେ ଦୁଇ ଭଉଣୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ଚଣ୍ଡିଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସର ସୂଚନା ଅନୁସାରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପିଜି ହଷ୍ଟେଲର ସିସିଟିଭି ଫୁଟେଜ୍ ର ମଧ୍ୟ ଯାଞ୍ଚ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.