ବୁର୍ଲା ଭିସୁଟ୍‌ରେ ଛାତ୍ରଙ୍କୁ ରାଗିଂ ଘଟଣା : ଦୁଇ ସୁରକ୍ଷାକର୍ମୀ ବହିଷ୍କୃତ, ଠିକା ସଂସ୍ଥାକୁ ନୋଟିସ୍

Published By : Prameya-News7 Bureau | August 27, 2019 IST

ସମ୍ବଲପୁର ୨୭|୮: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟରେ ଛାତ୍ରମାନଙ୍କୁ ରାଗିଂ ଘଟଣାରେ କୂଳସଚିବ ଉପମା କାଲୋଙ୍କ ନେତୃତ୍ବରେ ଗଠିତ ତଦନ୍ତ କମିଟି କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରାଗିଂ ଚାଲୁଥିବା ବେଳେ ସେଠାରେ ଛାତ୍ରାବାସର ଦୁଇ ଜଣ ସୁରକ୍ଷାକର୍ମୀ ଉପସ୍ଥିତ ଥିବା ସତ୍ତ୍ବେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିନଥିଲେ। ଫଳରେ ଏହି ଘଟଣାରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ବହିଷ୍କୃତ କରାଯାଇଛି । ଏହା ସହ ସଂପୃକ୍ତ ଠିକା ସଂସ୍ଥାକୁ ନୋଟିସ ମଧ୍ୟ ଦିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୧୯ତାରିଖରେ ବଶିଷ୍ଟ ହଷ୍ଟେଲରେ ବାର୍ଷିକ ଉତ୍ସବ ପାଳନ ବେଳେ ଶତାଧିକ ଜୁନିଅର ଛାତ୍ରଙ୍କୁ ରାଗିଂ କରି ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇଛନ୍ତି ସିନିଅର ଛାତ୍ର । ପ୍ରାୟ ୫୦ଜଣ ଛାତ୍ରଙ୍କ ସାର୍ଟ ଫାଡି ଅର୍ଦ୍ଧନଗ୍ନ କରି ନାଚିବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ଯାତନା ଦେବାକୁ ପଛାଇ ନାହାନ୍ତି ସିନିଅର ଛାତ୍ର । କେବଳ ସେତିକି ନୁହେଁ ଉପର ମହଲାରୁ ତଳମହଲାକୁ ଦୌଡାଇ ପିଟିଛନ୍ତି ।

ଶିକ୍ଷାନୁଷ୍ଠାନରେ ରାଗିଂ ନାମରେ ଜୁନିୟର ଛାତ୍ରଙ୍କୁ ନିର୍ଯାତନା ସବୁ ସୀମା ଟପି ଯାଇଛି । ଭିଡିଓ ସାମ୍ନାକୁ ଆସିବା ପରେ, ଘଟଣାର ତଦନ୍ତ କରିଥିଲେ ଭିସୁଟ୍ କୁଳପତି। ୧୦ଜଣ ତୃତୀୟବର୍ଷ ଛାତ୍ରଙ୍କୁ ଗୋଟିଏ ବର୍ଷ ପରୀକ୍ଷା ଦେବା ନିଷେଧ କରାଯାଇଛି । ୫୨ଜଣ ଛାତ୍ରଙ୍କୁ ୨ହଜାର ଟଙ୍କା ଲେଖାଏଁ ଜରିମାନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.