ଆଶ୍ରମ ପରିସରରୁ ୨ ସାଧୁଙ୍କ ମୃତଦେହ ଉଦ୍ଧାର, ଖାଦ୍ୟରେ ବିଷ ଦେଇ ହତ୍ୟା ସନ୍ଦେହ, ପୋଲିସର ଛାନଭିନ୍

Published By : Prameya-News7 Bureau | November 21, 2020 IST

ଉତ୍ତରପ୍ରଦେଶ ୨୧/୧୧ : ମଥୁରା ସ୍ଥିତ ଗୋବର୍ଦ୍ଧନ କ୍ଷେତ୍ରର ଗିରିରାଜ ବାଗ୍ ପଛପଟେ ଥିବା ଏକ ଆଶ୍ରମ ପରିସରରୁ ସନ୍ଦେହଜନକ ଅବସ୍ଥାରେ ଦୁଇ ଜଣ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ଜଣେ ସାଧୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚା ପିଇସାରିବା ପରେ ସାଧୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ଆଶ୍ରମରେ ସାଧୁଙ୍କ ମୃତ୍ୟୁ ଖବରରେ ପ୍ରସାରିତ ହେବାପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି ।

ତେବେ ଘଟଣାସ୍ଥଳରେ ଜିଲ୍ଲା ଏଏସପିଙ୍କ ସମେତ ଫରେନସିକ୍ ଟିମ ପହଞ୍ଚି ଘଟଣାର ଅନୁସନ୍ଧାନ କରି ଫେରିଛନ୍ତି । ଗିରିରାଜ ବାଗ୍ ପଛପଟେ ଥିବା ଆଶ୍ରମରେ ୩ ଜଣ ସାଧୁ ଗୋପାଳ ଦାସ(୫୫), ଶ୍ୟାମସୁନ୍ଦର ଦାସ(୬୦) ଏବଂ ରାମବାବୁ ଦାସ(୬୦) ରହିଆସୁଥିଲେ । ଗତ ବର୍ଷେ ହେବ ସାଧୁମାନେ ଆଶ୍ରମରେ ରହି ଭଜନ କୀର୍ତ୍ତନ କରୁଥିଲେ । ତେବେ ଏଏସପି ଗୌରବ ଗ୍ରୋଭର କହିଛନ୍ତି ଶନିବାର ସକାଳ ପ୍ରାୟ ୧୦ଟାରେ ସାଧୁମାନେ ଆଶ୍ରମରେ ଚା ପିଇବା ପରେ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ୩ ଜଣଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣ ସାଧୁ ଗୋପାଳ ଦାସ ଏବଂ ଶ୍ୟାମସୁନ୍ଦର ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ଜଣେ ସାଧୁ ରାମାବାବୁ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ସାଧୁ ଗୋପାଳ ଦାସଙ୍କ ଭାଇ ଟିକମ ଦାସ ଅଭିଯୋଗ କରିଛନ୍ତି ଯେ, ସାଧୁମାନଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଛି । ଟିକମ ଦାସ କହିଛନ୍ତି, ସେ ଯେତେବେଳେ ଆଶ୍ରମରେ ପହଞ୍ଚିଥିଲେ ଆଶ୍ରମରୁ ବିଷାକ୍ତ ଔଷଧର ଗନ୍ଧ ବାହାରୁଥିଲା । ସେଥିପାଇଁ ସାଧୁମାନଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଆଶ୍ରମରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲାପାଳ ଏବଂ ଏଏସପିଙ୍କ ସମେତ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଫରେନସିକ ଟିମ ଆଶ୍ରମରେ ଛାନଭିନ କରିବା ପରେ ମିଳିଥିବା ଖାଦ୍ୟ ପଦାର୍ଥର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.