ଆମେରିକା ସହ ବାର୍ତ୍ତା ପୂର୍ବରୁ ବାଗ୍ଦାଦ୍ର ଗ୍ରୀନ୍ ଜୋନ୍ରେ ରକେଟ୍ ମାଡ଼
11/06/2020 at 12:32 PM

ବାଗଦାଦ ୧୧।୦୬: ଇରାକ୍ର ରାଜଧାନୀ ବାଗଦାଦ୍ ସ୍ଥିତି ଗ୍ରୀନ୍ ଜୋନ୍ରେ ବୁଧବାର ଦିନ ଦୁଇଟି ରକେଟ୍ ମାଡ ହୋଇଛି । ରକେଟ ମାଡ ହୋଇଥିବା ସ୍ଥାନରୁ କିଛି ଦୂରରେ ଆମେରିକା ଦୂତାବାସ ଓ ଇରାକର ସରକାରୀ ଅଫିସ ରହିଛି । ବର୍ତ୍ତମାନ ସୁଦ୍ଧା ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି , କି କୌଣସି ମୃତାହତର ସୂଚନା ନାହିଁ । ଘଟଣାସ୍ଥଳରେ ପୋଲିସର ସାଇରନ ଶୁଣିବାକୁ ମିଳିଥିଲା । ରକେଟ ମାଡର ଖବର ପାଇବା ମାତ୍ରେ ପୁରା ଅଞ୍ଚଳକୁ ପୋଲିସ ପକ୍ଷରୁ ସିଲ୍ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଇରାକ ଓ ଆମେରିକା ମଧ୍ୟରେ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହେବାର ଥିଲା । ସେହିପରି ଏହି ଆଲୋଚନାରେ ଇରାକରୁ ଆମେରିକା ସେନା ହଟିବା ଉପରେ ମଧ୍ୟ ଆଲେଚାନା ହେବାର ସୂଚନା ରହିଛି । କିନ୍ତୁ କଥାବର୍ତ୍ତା ହେବାରୁ ଗୋଟିଏ ଦିନ ପୂର୍ବରୁ ଏହି ସହରରେ ରକେଟ ମାଡ ହୋଇଛି । ଇରାକରେ ଆମେରିକା ସୈନ୍ୟ ବେସ୍ ଉପରେ ଆକ୍ରମଣ ଜାରି ରହିଛି । ଗତ ବର୍ଷ ଅକ୍ଟୋବରରୁ ନେଇ ଆଜି ପର୍ଯ୍ୟନ୍ତ ୨୫ରୁ ଅଧିକ ଥର ରକେଟ ମାଡ ହୋଇସାରିଲାଣି । ଶେଷ ଥର ପାଇଁ ବାଗଦାଦ୍ରେ ଥିବା ଗ୍ରୀନ୍ ଜୋନ୍ରେ ମେ ୨୦ରେ ରକେଟ ମାଡ କରାଯାଇଥିଲା । ଆମେରିକାର ୫୦୦୦ରୁ ଅଧିକ ସେନା ଇରାକରେ ରହିଛନ୍ତି ।ଏଠାରେ ଆମେରିକାର ଅନେକ ସୈନ୍ୟ କ୍ୟାମ୍ପ ରହିଛି । ଏଠାରେ କିଛି ଆତଙ୍କବାଦୀ ସଂଗଠନକୁ ଇରାକ ସେନା ସମର୍ଥନ କରୁଥିବାର ମଧ୍ୟ ଖବର ଆସିଛି । ସୁତ୍ରନୁଯାୟୀ ଏହି ସଂଗଠନ ଚାହୁଛି ଆମେରିକା ନିଜ ସୈନ୍ୟବାହିନୀଙ୍କୁ ଇରାକରୁ ଫେରାଇ ନେଉ ।
୨୦୧୧ରେ ନିଜ ସୈନ୍ୟବାହିନୀଙ୍କୁ ଆମେରିକା ଫେରାଇ ନେବାକୁ ଘୋଷଣା କରିଥିଲା । ୨୦୧୪ରେ ଇରାକ ସରକାର ଆତଙ୍କବାଦୀ ସଂଗଠନ ବିରୋଧରେ ଲଢେଇ କରିବା ପାଇଁ ଆମେରିକାର ସହଯୋଗ ଲୋଡିଥିଲା । ଏହାପରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆଦେଶରେ ଆମେରିକା ସେନା ସୈନିକ ପୁଣି ଥରେ ଇରାକ ଫେରିଥିଲେ । ଆଇଏସ୍ ଇରାକର ଉତ୍ତର ଓ ପଶ୍ଚିମ ଅଞ୍ଚଳରେ କିଛି ସ୍ଥାନରେ କବ୍ଜା କରିନେଇଥିଲା । ଏହା ପାଇଁ ଆମେରିକାର ସହଯୋଗ ଲୋଡିଥିଲା ଇରାକ ।
ଆମେରିକା ଜାନୁଆରୀ ୩ରେ ବାଗ୍ଦାଦ୍ ଏୟାରପୋର୍ଟ ବାହାରେ ଡ୍ରୋନ୍ ଆକ୍ରମଣ କରି ଇରାନ ସୈନ୍ୟ କମାଣ୍ଡର କାସିମ୍ ସୁଲେମାନୀଙ୍କୁ ନିହତ କରିଥିଲା । ସୁଲେମାନୀଙ୍କ ମୃତ୍ୟୁ ପରେ ବାଗ୍ଦାଦ ସ୍ଥିତ ଆମେରିକୀୟ ଦୂତାବାସ ନିକଟରେ ୭ ଓ ୮ ଜାନୁଆରୀରେ ଆକ୍ରମଣ କରାଯାଇଥିଲା । ୭ଜାନୁଆରୀରେ ଇରାନ୍ ଇରାକ ସ୍ଥିତ ଦୁଇଟି ଆମେରିକା ସୈନ୍ୟ ବେସ୍ ଉପରେ ୨୨ ମିସାଇଲ୍ ମାଡ କରିଥିଲା । ଏହାପରେ ଇରାକ୍ ସଂସଦରେ ଆମେରିକୀୟ ସୈନ୍ୟବାହିନୀଙ୍କୁ ଦେଶ ଛାଡିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା ।