ମନ୍ଦିର ପରିସରରେ ଦୁଇ ସାଧୁଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮/୦୪ : ଉତ୍ତର ପ୍ରଦେଶ ବୁଲନ୍ଦସହରରେ ସୋମବାର ରାତିରେ ଏକ ମନ୍ଦିର ପରିସରରେ ଦୁଇଜଣ ସାଧୁଙ୍କୁ ହତ୍ୟା କରାଯାଇଛି | ସାଧୁଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡିଛି | ଦୁଇ ସାଧୁ ଅସ୍ଥାୟୀ ଭାବେ ଏହି ମନ୍ଦିରରେ ରହୁଥିଲେ | ହତ୍ୟା ଘଟଣାର ଅଭିଯୁକ୍ତ ରାଜୁକୁ ଗିରଫ କରାଯାଇଛି | ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ୱାସନା ଦେଇଥିଲେ |
ପୋଲିସ ସୂଚନା ଅନୁଯାୟୀ, ହତ୍ୟା ସମୟରେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଥିଲା | ଅଭିଯୁକ୍ତ ଡ୍ରଗ୍ସ ନିଶାରେ ଥିଲା ଏବଂ ସେ ଏବେ ପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ ରୂପେ ହୋସରେ ଆସିନାହିଁ | ଅଭିଯୁକ୍ତର ନିଶା ଛାଡିଲା ପରେ ତାକୁ ପଚରାଉଚୁରା କରାଯିବ ବୋଲି ପୋଲିସ କହିଛି | ତେବେ ଏହି ହତ୍ୟା ଘଟଣା ପଛରେ କୌଣସି ସାମ୍ପ୍ରଦାୟିକ ମାମଲା ନାହିଁ ପୋଲିସ କହିଛି | ବରିଷ୍ଠ ପୋଲିସ ଅଧିକାରୀ ସନ୍ତୋଷ କୁମାର ସିଂହ କହିଛନ୍ତି ଯେ, ଏହି ଦୁଇ ସାଧୁ ଅସ୍ଥାୟୀ ଭାବରେ ମନ୍ଦିରରେ ରହୁଥିଲେ | ଅଭିଯୁକ୍ତ ରାଜୁ କୌଣସି କାରଣରୁ ସାଧୁଙ୍କୁ ଗଲି କରିଥିଲା ଯେଉଁଥିପାଇଁ ସାଧୁମାନେ ତାକୁ ଗାଳି କରିଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ରାଜୁ ଦୁଇ ସାଧୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା | ହତ୍ୟା ପରେ ଗ୍ରାମବାସୀ ରାଜୁକୁ ଖୋଜାଖୋଜି କରିଥିଲେ | ଗ୍ରାମବାସୀ ଯେତେବେଳେ ରାଜୁକୁ ଖୋଜି ପାଇଥିଲେ ସେତେବେଳେ ସେ ପ୍ରବଳ ନିଶାରେ ଉଲଗ୍ନ ଅବସ୍ଥାରେ ଥିଲା |

{"id":261348,"sizeSlug":"large"}


ନିକଟରେ ମହାରାଷ୍ଟ୍ର ପାଲଘରରେ ଦୁଇ ସାଧୁଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା | ଏହି ଦୁଇ ସଧୂଆ ଶିଶୁଙ୍କୁ ଅପହରଣ କରି ସେମାନଙ୍କ ଅଙ୍ଗ ବିକ୍ରି କରନ୍ତି ବୋଲି ହତ୍ୟାକାରୀମାନେ ଅଭିଯୋଗ କରିଥିଲେ | ମହାରାଷ୍ଟ୍ରର ଏହି ଘଟଣା ପରେ ବିଜେପି ଓ ଆରଏସଏସର ତମାମ ନେତା ସାଧୁଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିବା କହିଛନ୍ତି | କିନ୍ତୁ ରାଜ୍ୟ ସରକାର ଏହାକୁ ସାମ୍ପ୍ରଦାୟିକ ଘଟଣା ବୋଲି ଅସ୍ବୀକାର କରିଛି | ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ କରି କହିଛନ୍ତି ଯେ, ଉତ୍ତର ପ୍ରଦେଶ ସରକାର ବୁଲନ୍ଦସହରରେ ହୋଇଥିବା ହତ୍ୟା ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.