କରୋନା ଭାଇରସ୍‌କୁ ନେଇ ଦୁଇ ଶକ୍ତିଶାଳୀ ଦେଶ ମୁହାଁମୁହିଁ : ଟ୍ରମ୍ପ୍ କହିଲେ- କରୋନା ସଂକ୍ରମଣକୁ ରୋକିପାରିଥାନ୍ତା ଚୀନ୍

Published By : Prameya-News7 Bureau | April 28, 2020 IST

ଓ୍ବାଶିଂଟନ୍ ୨୮।୪: ବିଶ୍ବର ଦୁଇଟି ଶକ୍ତିଶାଳୀ ଦେଶ ମହାମାରୀ କରୋନା ଭାଇରସ୍ ବିସ୍ତାରକୁ ନେଇ ମୁହାଁମୁହିଁ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍‌କୁ ଖୋଲାଖୋଲି ଭାବେ ଚେତାବନୀ ଦେଇଛନ୍ତି । ସୋମବାର ହ୍ବାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଚୀନ୍ କରୋନା ଭାଇରସ୍ ବିସ୍ତାରକୁ ରୋକିପାରିଥାନ୍ତା । ଆମେ ଅନୁସନ୍ଧାନ କରୁଛୁ ଏବଂ ଉପଯୁକ୍ତ ସମୟରେ ଏ ବିଷୟରେ କହିବୁ ।

ଚୀନ୍‌କୁ ଟାର୍ଗେଟ୍ କରି ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, ଅନେକ ଉପାୟ ଅଛି ଯାହା ଦ୍ବାରା ଚୀନ୍‌କୁ ଉତ୍ତରଦାୟୀ କରାଯାଇପାରିବ । ଏନେଇ ଏକ ଗମ୍ଭୀର ଅନୁସନ୍ଧାନ ଜାରି ରହିଛି । ସମସ୍ତେ ବୋଧହୁଏ ଜାଣିଛନ୍ତି ଆମେ ଚୀନ୍ ଉପରେ ଖୁସି ନାହୁଁ । ଡୋନାଲ୍ଡ ଟ୍ରମ୍ପ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପୁରା ପରିସ୍ଥିତି ସହ ଖୁସି ନାହୁଁ । କାରଣ ଆମେ ବିଶ୍ବାସ କରୁ ଯେ, କରୋନା ଭାଇରସ୍ ବ୍ୟାପିବାରୁ ରୋକାଯାଇ ପାରିଥାନ୍ତା । ଏହା ସମଗ୍ର ବିଶ୍ବରେ ବ୍ୟାପିନଥାନ୍ତା ।

ଚୀନ୍‌ର କୌଣସି ଲ୍ୟାବ୍‌ରୁ ଏହି ଭାଇରସ୍ ସୃଷ୍ଟି ହୋଇଥିବା ନେଇ ଆମେରିକା ସନ୍ଦେହ କରୁଛି । ରାଷ୍ଟ୍ରପତି ଟ୍ରମ୍ପ୍ ଏହାକୁ 'ଚୀନ୍‌ର ଭାଇରସ୍' ବୋଲି କହିଛନ୍ତି । ଚୀନ୍ ଉହାନରୁ ଉତ୍ପନ ହୋଇଥିବା ଏହି ଭାଇରସ୍ ଆମେରିକାରେ ସର୍ବାଧିକ ବିନାଶ ଘଟାଇଛି । ଆମେରିକାରେ ପ୍ରାୟ ୯ ଲକ୍ଷ ୮୫ ହଜାର ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏହାସହ ୫୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ନିକଟରେ ଡ୍ରାଗନ୍‌କୁ ଟାର୍ଗେଟ୍ କରି କହିଥିଲେ ଯେ, ଚୀନ୍ ବିଶ୍ବକୁ ଅନେକ କିଛି ଲୁଚାଇ ରଖିଛି । ସମସ୍ତଙ୍କର ସତ ଜାଣିବାର ଅଧିକାର ଅଛି । ବହୁ ପରିମାଣରେ ସତ ଲୁଚି ରହିଛି । ଚୀନ୍‌ରେ ଏଭଳି ଲ୍ୟାବ୍ ଏବେବି ରହିଛି, ଯେଉଁଠାରୁ କରୋନା ଭାଇରସ୍ ସୃଷ୍ଟି ହୋଇଥିଲା । ସେ ଦାବି କରିଛନ୍ତି ଯେ, କେବଳ ଉହାନ୍ ନୁହେଁ, ଚୀନ୍‌ର ଅନେକ ଲ୍ୟାବ୍‌ ରହିଛି ଯେଉଁଠାରେ ଏଭଳି ପରୀକ୍ଷଣ କରାଯାଉଛି ଯାହା ଭବିଷ୍ୟତରେ ବିପଜ୍ଜନକ ସାବ୍ୟସ୍ତ ହେବ । ଡିସେମ୍ବରରୁ ଚୀନ୍‌ର ସତ ପ୍ରକାଶ ପାଇବାରେ ଲାଗିଛି । ଏହା ସ୍ପଷ୍ଟ ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ୍‌କୁ ସମର୍ଥନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.