ଲକ୍‌ଡାଉନ୍‌ରେ ସୀମା ଲଙ୍ଘି ପୋଲିସ ହରବର : ବଲାଙ୍ଗୀରରେ ଦୁଇ କନେଷ୍ଟବଳ ସସ୍‌ପେଣ୍ଡ, ଚାନ୍ଦବାଲିରେ ଖାଇଲେ ଠେଙ୍ଗା ପାହାର

Published By : Prameya-News7 Bureau | March 30, 2020 IST

ଭୁବନେଶ୍ୱର ୩୦।୦୩:  ଲକ୍‌ଡାଉନ୍‌ ଉଲଙ୍ଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବଲାଙ୍ଗିରର ୨ଜଣ କନଷ୍ଟେବଳ ନିଲମ୍ବିତ ହୋଇଥିବା ବେଳେ ଚାନ୍ଦବାଲିରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ ।

କୋଉଠି ଆଣ୍ଠେଇଲେ, କୋଉଠି କାନଧରି ବସ୍ଉଠ୍ କଲେ, ପୁଣି କୋଉଠି ଲାଠିରେ ସେକିଲେ । ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସର ଏଭଳି କଡ଼ା ଆକ୍ସନର ଚିତ୍ର ନିଇତି ସାମ୍ନାକୁ ଆସଛି । ତେବେ ବଲାଙ୍ଗିରରେ କିନ୍ତୁ ୨କନଷ୍ଟେବଲଙ୍କୁ ମହଙ୍ଗା ପଡ଼ିଛି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । ଲକଡାଉନ ଉଲଂଘନକାରୀଙ୍କୁ ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ବାଧ୍ୟ କରିବା ଓ ଲାଠି ସସ୍‌ପେଣ୍ଡ କରିଛନ୍ତି ବଲାଙ୍ଗିର ଏସ୍‌ପି ସଂଦୀପ ସଂପଦ । କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଗତକାଲି ରାତିରେ ବଲାଙ୍ଗିର ସହରରେ କିଛି ଯୁବକ ବିନା କାରଣରେ ଘରୁ ବାହାରି ନିୟମ ଉଲଂଘନ କରିଥିଲେ । ତେବେ ଡ୍ୟୁଟିରେ ଥିବା ଓଏସଏପି କନଷ୍ଟେବଳ ସୂର୍ଯ୍ୟକାନ୍ତ  ସାମନ୍ତରାୟ ଏବଂ ପ୍ରଦ୍ୟୁମ୍ନ ସାମଲ ସଂପୃକ୍ତ ଯୁବକମାନଙ୍କୁ ମାଡ଼ ଭୟ ଦେଖାଇ ଆଣ୍ଠେଇ ଆଣ୍ଠେଇ ଯିବାକୁ ବାଧ୍ୟ କରିଥିଲେ । ଏମିତିକି ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ପିଟିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଦୁଇ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ।

{"id":246613,"sizeSlug":"large"}

ବଲାଙ୍ଗିରରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦୁଇ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଥିବା ବେଳେ ଭଦ୍ରକ ଚାନ୍ଦବାଲିରେ କିନ୍ତୁ ପୋଲିସ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲିବାକୁ ବାରଣ କରିବାରୁ ପୋଲିସକୁ ଠେଙ୍ଗାରେ ପିଟିଥିଲେ ଜଣେ ଯୁବକ । ଚାନ୍ଦବାଲି ଥାନା ବାଲିଗାଁ ଛକରେ ଜଣେ ଯୁବକଙ୍କ ଆକ୍ରମଣରେ ୨ଜଣ ପୋଲିସ କର୍ମଚାରୀ ଲହୁ ଲୁହାଣ ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତ ଯୁବକ ରେମେଶ ଦାସଙ୍କୁ ଗିରଫ କରାଯାଇଛି ।

କରୋନା ସଂକ୍ରମଣକୁ ରୋକିବାକୁ ଲକଡାଉନ୍ କରାଯାଇଛି । ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ଲୋକଙ୍କୁ ଅନୁରୋଧ କରାଯାଉଛି । ଏହି ମହାମାରୀ କବଳରୁ ନିଜକୁ ତଥା ନିଜ ଆଖପାଖର ଲୋକଙ୍କୁ ରକ୍ଷା କରିବାକୁ ସାମାଜିକ ଦୂରତା ହିଁ ଏକମାତ୍ର ସହଜ ଉପାୟ । ତଥାପି ଏହାର ଗୁରୁତ୍ବକୁ ବୁଝୁନଥିବା କିଛି ଲୋକଙ୍କ ପାଇଁ ବିଭିନ୍ନ ସମୟରେ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.