'ପରୀ' ମୃତ୍ୟୁ ଘଟଣା ସମ୍ପର୍କରେ ୨ ଜଣଙ୍କୁ କହିଥିଲା ସରୋଜ, ରେକର୍ଡ ହୋଇଛି ଭିଡିଓ-ଅଡିଓ

Published By : Prameya-News7 Bureau | December 22, 2020 IST

ଭୁବନେଶ୍ବର ୨୨।୧୨: ପରୀ ମୃତ୍ୟୁ ଘଟଣା ସମ୍ପର୍କରେ ଜାଣିଥିଲେ ଦୁଇ ଜଣ । ପରୀକୁ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା କଥା ଦୁଇ ଜଣଙ୍କ ଆଗରେ କହିଥିଲା ସରୋଜ । ସେମାନଙ୍କ ମଧ୍ୟରୁ ଜଣଙ୍କ ସହ କଥା ହେବା ବେଳେ ତାଙ୍କ ଭିଡିଓ ଓ ଅଡିଓ ଅନ୍ ରହିଥିଲା । ସେହି ଭିଡିଓ ଏବଂ ଅଡିଓ ବଡ ପ୍ରମାଣ ଭାବେ ଦର୍ଶାଯାଇପାରିବ ବୋଲି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ପରୀକୁ ଦୁଷ୍କର୍ମ ଉଦ୍ୟମ ବେଳେ କାନ୍ଦିବାରୁ ତଣ୍ଟି ଚିପି ଦେଇଥିଲା ସରୋଜ । ତଣ୍ଟି ଚିପି ଦେବାରୁ ଘଟଣାସ୍ଥଳରେ ପରୀର ମୃତ୍ୟୁ ହୋଇଥିଲା । ସରୋଜ ପରୀ ମୃତଦେହକୁ ନିକଟ ପୋଖରୀ ହୁଡାରେ ଫିଙ୍ଗିଦେଇଥିଲା । ତାଉପରେ ନଡିଆ ବାହୁଙ୍ଗା ପକାଇ ଲୁଚାଇଦେଇଥିଲା ।

ଯେଉଁ ନଡିଆ ବାହୁଙ୍ଗାରେ ପରୀର ମୃତଦେହ ଲୁଚାଯାଇଥିଲା ତାହାର ଜେନମ୍ ଟେଷ୍ଟ କରାଯିବ । ଯେଉଁ ଗଛରୁ ବାହୁଙ୍ଗା କଟାଯାଇଛି ତାର ମଧ୍ୟ ଜେନମ୍ ଟେଷ୍ଟ କରାଯିବ । ହାଇଦ୍ରାବାଦର ସିସିଏମବି ଓ ଦିଲ୍ଲୀର ଏନଆଇପିଜିଆରକୁ ପଠାଯିବ ବାହୁଙ୍ଗା । ଟେଷ୍ଟ ପରେ ନୂଆ ତଥ୍ୟ ମିଳିବା ନେଇ ଆଶା କରାଯାଉଛି ।

ପରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ଏସଆଇଟି । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ ବୋଲି ଅରୁଣ ବୋଥ୍ରା କହିଛନ୍ତି । ୩ ଦିନ ରିମାଣ୍ଡରେ ଯାହା ନୂଆ ତଥ୍ୟ ଆସିବ ଆମେ ଅବଗତ କରାଇବୁ । ଅଭିଯୁକ୍ତକୁ କେଉଁ ମାନେ ସାହାଯ୍ୟ କରୁଥିଲେ ତାହାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.