ଭାରତ ଚାପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ଦୂତାବାସର ଦୁଇ କର୍ମଚାରୀଙ୍କୁ କଲା ମୁକ୍ତ

Published By : Prameya-News7 Bureau | June 15, 2020 IST

ଇସଲାମାବାଦ ୧୫।୦୬: ପାକିସ୍ତାନ ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଛି। କଥିତ ଭାବେ ଗିରଫ କରିଥିବା ଭାରତୀୟ ଦୂତାବାସର ଦୁଇ କର୍ମଚାରୀଙ୍କୁ ମୁକ୍ତ କରିଛି। ସୂଚନା ଅନୁଯାୟୀ ଏହି ଦୁଇ କର୍ମଚାରୀ ସୁରକ୍ଷିତ ଭାରତୀୟ ଦୂତାବାସକୁ ଫେରି ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ସକାଳେ ଇସଲାମାବାଦରୁ ଦୁଇ ଅଧିକାରୀଙ୍କୁ ଗାଏବ କରାଯାଇଥିବା ଖବର ଆସିଥିଲା। ଯାହା ପରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଦୁଇ କର୍ମଚାରୀଙ୍କୁ ଅପହରଣ କରିଥିବା ସନ୍ଦେହ ସୃଷ୍ଟି  ହୋଇଥିଲା।

ସୂଚନାଯୋଗ୍ୟ, ରବିବାର ସକାଳେ ଇସଲାମାବାଦରେ ମୁତୟନ ଦୁଇ ଭାରତୀୟ କର୍ମଚାରୀଙ୍କ ଅପହରଣ ଖବର ଆସିବା ପରେ ପାକିସ୍ତାନୀ ମିଡିଆ ଦୃଢୋକ୍ତି ପ୍ରକାଶ କରିଥିଲା ଯେ, ଦୁଇ କର୍ମଚାରୀଙ୍କୁ ଇସଲାମାବାଦ ପୋଲିସ ହିଟ୍ ଆଣ୍ଡ ରନ୍ ମାମଲାରେ ଗିରଫ କରାଯାଇଛି। ଜିଓ ଟିଭି ରିପୋର୍ଟ ଅନୁଯାୟୀ ଦୂତାବାସ ନିକଟ ସଡକରେ ଭାରତୀୟ ରାଷ୍ଟ୍ରଦୂତଙ୍କ ବିଏମଡବ୍ଲ୍ୟୁ କାର ଜଣେ ପାକିସ୍ତାନୀ ନାଗରିକଙ୍କୁ ଧକ୍କା ଦେଇ ଖସି ପଳାଇବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥାନୀୟ ନାଗରିକ ଭାରତୀୟ ଦୂତାବାସର ଦୁଇ କର୍ମଚାରୀଙ୍କୁ ଧରି ପୋଲିସ ହାତରେ ଦେଇଥିଲେ।

ଅନ୍ତରାଷ୍ଟ୍ରୀୟ ନିୟମକୁ ଦ୍ଵାହି ଦେଇ ଗିରଫ କଲା

ଇସଲାମାବାଦ ପୋଲିସ ଅନ୍ତରାଷ୍ଟ୍ରୀୟ ନିୟମର ଦ୍ଵାହି ଦେଇ ଭାରତୀୟ ରାଷ୍ଟ୍ରଦୂତଙ୍କୁ କଥିତ ଭାବେ ଗିରଫ କରାଯାଇଛି। କିନ୍ତୁ କୂଟନୈତିକ ଆଇନ ଅନୁଯାୟୀ କୌଣସି ବି ଅନ୍ୟ ଦେଶର ରାଷ୍ଟ୍ରଦୂତଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଏହି ଗିରଫଦାରୀ ଉପରେ ଭାରତରେ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ସିଡିଏକୁ ସମନ ଜାରି କରିଛି। ପାକିସ୍ତାନୀ ମିଡିଆର ରିପୋର୍ଟକୁ ଉଲ୍ଲେଖ କରି ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ସମକକ୍ଷ ସମ୍ମୁଖରେ କଡା ଆପତ୍ତି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ, ଗିରଫଦାରୀ ସମ୍ବନ୍ଧରେ କୌଣସି ବି ମାମଲାରେ ସର୍ବ ପ୍ରଥମେ ସମ୍ବନ୍ଧିତ ଦୂତାବାସକୁ ସୂଚନା ଦେବା ଜରୁରୀ ହୋଇଥାଏ। ୧୯୬୧ରେ ଦୁଇ ସ୍ଵାଧୀନ ଦେଶ ମଧ୍ୟରେ ରାଷ୍ଟ୍ରଦୂତ ସମ୍ବନ୍ଧକୁ ନେଇ ଭିଏନା ରାଜିନାମା ହୋଇଥିଲା। ଏହି ରାଜିନାମା ଅନୁଯାୟୀ ରାଷ୍ଟ୍ରଦୂତଙ୍କୁ ସ୍ଵତନ୍ତ୍ର ଅଧିକାର ଦିଆଯାଇଛି। ଏଥିରେ ଉଲ୍ଲେଖ  ରହିଛି ଯେ, କୌଣସି ବି ଅନ୍ୟ ଦେଶର ରାଷ୍ଟ୍ରଦୂତଙ୍କୁ ଆଇନ ମାମଲାରେ ଗିରଫ କରାଯାଇ ପାରିବ ନାହିଁ। ନା ସେମାନଙ୍କୁ କୌଣସି ପ୍ରକାର ଅଟକ ରଖାଯାଇ ପାରିବ। ଏହା ସହିତ ରାଷ୍ଟ୍ରଦୂତଙ୍କ ଉପରେ କୌଣସି ପ୍ରକାରର କଷ୍ଟମ ଟ୍ୟାକ୍ସ ଲଗାଯାଇ ପାରିବ ନାହିଁ।

ଦୂତାବାସରେ ପଶି ପାରିବ ନାହିଁ ପୋଲିସ

ଏହି ରାଜିନାମାର ଧାରା ୩୧ ଅନୁଯାୟୀ ଆୟୋଜକ ଦେଶର ପୋଲିସ ଅନ୍ୟ ଦେଶର ଦୂତାବାସରେ ପଶି ପାରିବ ନାହିଁ। ମାତ୍ର ଘରୋଇ ଦେଶକୁ ଉକ୍ତ ଦୂତାବାସର ସୁରକ୍ଷା ଦାୟିତ୍ଵ ନେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.