ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡିଆ ଯବାନ ସହିଦ

Published By : Prameya-News7 Bureau | February 15, 2019 IST

ଜଗତସିଂହପୁର|ନିଆଳି ୧୫|୨:  ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ହୋଇଥିବା ୪୦ଜଣ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଯବାନ ରହିଛନ୍ତି। ଦୁଇ ଓଡିଆ ଯବାନ ହେଲେ ପ୍ରସନ୍ନ କୁମାର ସାହୁ ଏବଂ ମନୋଜ କୁମାର ବେହେରା ।

{"id":85336}

ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ଗାଁର । ପ୍ରସନ୍ନ ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ। ୧୯୯୨ ମସିହାରେ ସିଆରପିଏଫ୍‌ରେ ଯୋଗଦେଇଥିଲେ ପ୍ରସନ୍ନ । ଗତ ନଭେମ୍ବର ୧୭ତାରିଖରେ ପ୍ରସନ୍ନ ଗାଁକୁ ଆସିଥିଲେ । ଏଭଳି ଅଘଟଣ ଖବର ପାଇବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗିପଡିଛନ୍ତି । ଗାଁ ସାରା ଶୋକର ଛାୟା ଖେଳିଯାଇଛି ।

{"id":85337}

ସେହିପରି ମନୋଜ କୁମାର ବେହେରାଙ୍କ ଘର କଟକ ଜିଲ୍ଲା ନିଆଳି ରତନପୁର ଗାଁରେ। ୨୦୦୬ ମସିହାରେ ସେ ସିଆରପିଏଫ୍‌ରେ ଯୋଗ ଦେଇଥିଲେ। ୨୦୧୭ ମସିହାରେ ମନୋଜଙ୍କର ବିବାହ ହୋଇଥିଲା । ତାଙ୍କର ବର୍ଷର ଝିଅଟିଏ ଅଛି । ଝିଅର ଜନ୍ମଦିନ ପାଳନ କରିବା ପାଇଁ ଡିସେମ୍ବର ମାସରେ ଘରକୁ ଆସିଥିଲେ ମନୋଜ । ଫେବୃଆରୀ ୬ତାରିଖରେ ସେ ଜମ୍ମୁକୁ ପ୍ରତ୍ୟାବର୍ତ୍ତନ କରିଥିଲେ ତାଙ୍କ କାର୍ଯ୍ୟରେ ଯୋଗଦେବା ପାଇଁ । ଡ୍ୟୁଟିରେ ଯୋଗଦେବା ପାଇଁ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ପରିବାରଲୋକଙ୍କୁ ସାନ୍ତ୍ବନା ଦେବା ପାଇଁ ଲୋକଙ୍କ ଭିଡ ଲାଗିଛି ।

{"id":85402}

ଦୁଇ ଓଡିଆ ଯବାନ ସହିଦ ହେବା ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ସଂପୃକ୍ତ ସହିଦ ଯବାନଙ୍କ ଗାଁରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଏଭଳି ଖବର ଶୁଣି ପରିବାରବର୍ଗ, ଆତ୍ମୀୟସ୍ବଜନ, ଗ୍ରାମବାସୀ ସମସ୍ତେ ମ୍ରିୟମାଣ ହୋଇପଡିଛନ୍ତି । ପରିବାରଲୋକଙ୍କୁ ସାନ୍ତ୍ବନା ଦେବା ପାଇଁ ଗାଁରେ ଲୋକଙ୍କ ଭିଡ ଜମିଛି ।

{"id":85338}

ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀନଗର-ଜମ୍ମୁ ହାଇୱେରେ ସିଆରପିଏଫ୍ ଯବାନମାନଙ୍କୁ ନେଇ ୭୦ଟି ବସ୍ ଯାଉଥିବା ବେଳେ ଅୱନ୍ତିପୁରାଠାରେ ହଠାତ୍ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏକ ଆଇଇଡି ବିସ୍ଫୋରକ ଭର୍ତ୍ତି ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ୍ ବସକୁ ଧକ୍କା ଦେଇଥିଲା । ଫଳରେ ବଡ ଧରଣର ବିସ୍ଫୋରଣ ହେବା ସହ ୪୦ ଜଣ ଯବାନ ସହିଦ ହୋଇଥିଲେ । ସିଆରପିଏଫର ୨୫ ଶହ ୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଆତଙ୍କୀ ହମଲା କରିଥିଲେ । ଜୈଶ- ଏ-ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଅଓ୍ବନ୍ତିପୁରାରେ ସିଆରପିଏଫ୍ ଯବାନଙ୍କ ବସ୍ ଉଡ଼ାଇବା ପାଇଁ ଆତ୍ମଘାତୀ ଆତଙ୍କବାଦୀ ୩୫୦ କିଲୋ ବିସ୍ଫୋରକ ବ୍ୟବହାର କରିଥିଲା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.