ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୨ ଜଣଙ୍କ ମୃତ୍ୟୁ
6/04/2021 at 12:16 PM

ଆଠଗଡ ୬।୪: ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ଜମିକୁ ନେଇ ଭଗତପୁର ଓ ବୁଢାପଙ୍କ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗାଁ ପାଖ ମୁଣ୍ଡିଆ ଜମିକୁ ନେଇ ଦୁଇ ଗାଁରେ ବିବାଦ । ଦୀର୍ଘଦିନ ଧରି ଏ ବିବାଦ ନତୁଟିବା ଯୋଗୁଁ ଜମି ପାଇଁ ଚାଲିଗଲା ଦୁଇ ଜଣଙ୍କ ଜୀବନ। କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଭଗତପୁର ଓ ବୁଢାପଙ୍କ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ବୋମା ମାଡ ଓ ଗୁଳି ମାଡ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ମାଣିଆବନ୍ଧରେ ଚିକିତ୍ସା କରାଇବା ସହ ସେମାନଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଭଗତପୁର ଗାଁର ୩୪ ବର୍ଷ ବୟସ୍କ ଅଶ୍ବିନୀ ପାଳ ଓ ୨୬ ବର୍ଷ ବୟସ୍କ ପବିତ୍ର ଆରୁଖ । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ୬୫ ନମ୍ବର ରାଜପଥ କଟକ-ନରସିଂହପୁର ରାସ୍ତାର ଅଭିମାନପୁର ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।