ଜଙ୍ଗଲରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ: ହତ୍ୟା ନା ଆତ୍ମହତ୍ୟା , ତାହାକୁ ନେଇ ଜୋର ଧରିଛି ଚର୍ଚ୍ଚା

Published By : Prameya-News7 Bureau | June 06, 2020 IST

ବାଲେଶ୍ୱର ୦୬।୦୬ : ସମୁଦ୍ର ତଟ ଘଞ୍ଚ ଜଙ୍ଗଲରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲିଆପାଳ ଥାନା ସ୍ଥିତ ଡଗରା ସମୁଦ୍ରତଟ ଜଙ୍ଗଲରେ ଏହି ଅଭାବନୀୟ ଦୃଶ୍ୟ ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏକ ଲିମ୍ବ ଗଛରେ ଏକ୍‌ଦମ୍‌ ଲଗାଲଗି ଝୁଲୁଛି ଦୁଇ ଜଣ ଯୁବକ ଓ ଯୁବତୀଙ୍କ ମୃତଦେହ । ଓଢଣୀରେ ଦୁଇଟି ଯାକ ଶରୀର ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି ।

ମୃତ ଯୁବକ ଓ ଯୁବତୀଙ୍କ ବୟସ ୨୧-୨୨ ବର୍ଷ ହେବ । କିନ୍ତୁ ସେମାନଙ୍କ ପରିଚୟ ମିଳିନାହିଁ । ଯୁବକ ଜଣଙ୍କ ଜିନ୍ସ ପ୍ୟାଣ୍ଟ ଓ ନାଲି ଚେକ୍‌ର ଫୁଲ୍‌ ସାର୍ଟ ପିନ୍ଧିଥିବା ବେଳେ ଯୁବତୀ ଜଣଙ୍କ ଲେଗିନ୍ସ ଏବଂ କୁର୍ତ୍ତୀ ପିନ୍ଧିଛନ୍ତି । ସେମାନଙ୍କ ଶରୀରରେ ରକ୍ତର ଚିହ୍ନ ରହିଛି । ପାରିପାର୍ଶ୍ୱିକ ସ୍ଥିତି ଏବଂ ଝୁଲନ୍ତା ଅବସ୍ଥାରୁ ଏହା ଆତ୍ମହତ୍ୟା ଜନିତ ନୁହେଁ ବୋଲି ମଧ୍ୟ ସନ୍ଦେହ ହେଉଛି । ଖବର ଲେଖା ହେବା ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାଯାଇଛି । ସାଧାରଣରେ ଏନେଇ ଆଲୋଚନା ଜୋର୍‌ ଧରିଛି । ଘଞ୍ଚ ଜଙ୍ଗଲ ଭିତରେ କିପରି ଓ କାହିଁକି ଯୁବକ-ଯୁବତୀଙ୍କ ମୃତଦେହ ଝୁଲିଲା , ଏହା ଆତ୍ମହତ୍ୟା  ନା ସୁପରିକଳ୍ପିତ ହତ୍ୟା ତାହା ଆଲୋଚନାର ପ୍ରସଙ୍ଗ ହୋଇଛି । ପୋଲିସ ତଦନ୍ତ ପରେ ସତ୍ୟାସତ୍ୟ ସ୍ପଷ୍ଟ ହେବ ଆଶା କରାଯାଉଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.