ସାତକୋଶିଆକୁ ଆସିବ ଆଉ ଦୁଇ ଯୋଡ଼ା ବାଘ ! ଅଭୟାରଣ୍ୟ ଭିତରେ ଥିବା ଗାଁକୁ ଉଠାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରୁଛି ବନ ବିଭାଗ
23/11/2020 at 11:03 PM

ଅନୁଗୁଳ ୨୩।୧୧: ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ଫେଲ ମାରିଲା ପରେ ପୁଣି ଥରେ ସଜାଡ଼ିବାକୁ ଚେଷ୍ଟା କରୁଛି ବନ ବିଭାଗ। ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶକୁ ଫେରିଯିବା ପ୍ରସ୍ତୁତି ଚାଲିଥିବା ଏବଂ ପରେ ଆଉ ଦୁଇ ଯୋଡ଼ା ବାଘ ଆସିବା ଜଣା ପଡିବା ପରେ ଅଭୟାରଣ୍ୟ ଭିତରେ ଥିବା ଅସନ ବାହାଳି ଗ୍ରାମକୁ ଉଠାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବନ ବିଭାଗ।
ଅନଗୁଳ ସାତକୋଶିଆ ଅଭୟାରଣ୍ୟର ବାଘୁଣୀ ସୁନ୍ଦରୀ ଏବେ ବନ୍ଦୀ ଜୀବନ କାଟୁଛି। ଏକ୍ଲୋଜର ମଧ୍ୟରେ ରହିଛି ସୁନ୍ଦରୀ। ମହାବୀରର ମୃତ୍ୟୁ ହୋଇ ସାରିଛି। ମହାବୀର ଆଉ ସୁନ୍ଦରୀ ପାଇଁ ରାଇଗୁଡା ଗାଁ ଉଚ୍ଛେଦ ହୋଇଥିଲା। ଏବେ ପୁଣି ଅସନବାହାଳି ଗାଁ ଉଠିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ରୋଡ଼ସିଙ୍ଗା ଠାରେ ୮୦ ଟି ପରିବାରକୁ ଥଇଥାନ ପାଇଁ ବ୍ଲୁ ପ୍ରିଣ୍ଟ କରିସାରିଛି ପ୍ରଶାସନ।
ସେପଟେ ଏହି ପ୍ରସ୍ତାବରେ ଗ୍ରାମବାସୀ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କୁ ମୌଳିକ ସୁବିଧା ସୁଯୋଗ ନ ମିଳିବା ଯାଏ ଗ୍ରାମ ଛାଡିବେ ନାହିଁ ବୋଲି କହିଛନ୍ତି। ଯେତିକି ସୁବିଧା ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ଏମିତି ହେଲେ ବ୍ୟାଘ୍ର ପ୍ରକଳ୍ପ କେମିତି ଆଗେଇବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ।