ନବଙ୍କ ପରେ କଂଗ୍ରେସରୁ ବହିଷ୍କାର ହୋଇପାରନ୍ତି ଆଉ ଦୁଇ ବିଧାୟକ ପ୍ରକାଶ ଏବଂ ଯୋଗେଶ

Published By : Prameya-News7 Bureau | January 17, 2019 IST

ଭୁବନେଶ୍ବର ୧୭|୧: ଆଉ ଦୁଇ ବିଧାୟକଙ୍କ ବିରୋଧରେ କଂଗ୍ରେସ ନେଇପାରେ କାର୍ଯ୍ୟାନୁଷ୍ଠାନ । ଯୋଗେଶ ସିଂ ଏବଂ ପ୍ରକାଶ ବେହେରା କଂଗ୍ରେସରୁ ବହିଷ୍କାର ହୋଇପାରନ୍ତି । ପିସିସି ଶୃଙ୍ଖଳା କମିଟି ବୈଠକରେ ଗତକାଲି ଏନେଇ ଆଲୋଚନା ହୋଇଛି । ଆଜି ଅପରାହ୍ନରେ ଏନେଇ ଘୋଷଣା ହୋଇପାରେ । ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳ ।

ଗତକାଲି ଝାରସୁଗୁଡା ବିଧାୟକ ନବ ଦାସଙ୍କୁ ଦଳକୁ ବହିଷ୍କାର କରାଯାଇଛି । ଏଆଇସିସି ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ନବଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୁନ୍ଦରଗଡ କଂଗ୍ରେସ ବିଧାୟକ ଯୋଗେଶ ସିଂ କଂଗ୍ରେସ ଛାଡି ବିଜେଡି ଆସିବା ନେଇ ଚର୍ଚ୍ଚା ହେଉଛି । ଫେବ୍ରୁଆରୀ ମାସରେ ସେ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ପରୋକ୍ଷରେ ଯୋଗେଶ ସିଂ ସୂଚନା ଦେଇଥିଲେ ।୨୫ ତାରିଖରେ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି କହିଥିଲେ ଯୋଗେଶ । ବ୍ୟକ୍ତିଗତ କାମ ଥିବାରୁ କାର୍ଯ୍ୟକ୍ରମରେ ଯୋଗଦେବେନାହିଁ ବୋଲି ସେ କହିଥିଲେ । ନବଦାସଙ୍କ ପରେ ଦ୍ବିତୀୟ ବିଧାୟକ ଭାବେ ବିଜେଡି ମୁହାଁ ହୋଇଛନ୍ତି ଯୋଗଶ ।

ସେହିପରି ସାଲେପୁର ପ୍ରକାଶ ବେହେରା ମଧ୍ୟ ଖୁବ ଶୀଘ୍ର ଶଙ୍ଖ ଫୁଙ୍କିବା ଯୋଜନାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ପ୍ରକାଶ କହିଥିଲେ ଯେ ହାଇକମାଣ୍ଡ ଯାହା କହିବେ ସେୟା କରିବି । ତେବେ କଂଗ୍ରେସ ହାଇକମାଣ୍ଡ ନା ବିଜେଡି ହାଇକମାଣ୍ଡ ସେକଥା ପ୍ରକାଶ କରିନାହାନ୍ତି ପ୍ରକାଶ ।

ତେବେ ଉଭୟଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପିସିସି ଶୃଙ୍ଖଳା କମିଟି ବୈଠକରେ ଗତକାଲି ଏନେଇ ଆଲୋଚନା ହୋଇଛି । ଆଜି ଅପରାହ୍ନରେ ଏନେଇ ଘୋଷଣା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.