ବାଂଲାଦେଶରେ ବଢିଲା ହିନ୍ଦୁ ବିରୋଧୀ ହିଂସା, ମିଳିଲା ଆଉ ଦୁଇ ମୃତଦେହ, ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬।୧୦: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଥମିବାର ନାଁ ନେଉ ନାହିଁ। ଶନିବାର ସକାଳେ କିଛି ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଜଣା ପଡିଛି। ଏହି ହିଂସାକାଣ୍ଡରେ ଆକ୍ରମଣକାରୀ ଦୁଇ ହିନ୍ଦୁ ଯୁବକଙ୍କ ହତ୍ୟା କରିଛନ୍ତି। ଏଥିସହ ଧାର୍ମିକ ହିଂସାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ପୋଲିସ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରଖିଛି।

ବାଂଲାଦେଶ ପୋଲିସ ଅନୁଯାୟୀ, ସଦ୍ୟତମ ହିଂସା ଦକ୍ଷିଣ ସହର ବେଗମଜଙ୍ଗରେ ଘଟିଛି। ଏହା ପୂର୍ବରୁ ଶତାଧିକ ସଂଖ୍ୟାରେ ବାହୁଲ୍ୟ ସଂପ୍ରଦାୟର ଲୋକେ ଦୁର୍ଗା ପୂଜାର ଅନ୍ତିମ ଦିନ ଅର୍ଥାତ ଶୁକ୍ରବାର ନମାଜ ପରେ ଶୋଭାଯାତ୍ରା ବାହାର କରିଥିଲେ। ଏହି ସମୟରେ ୨୦୦ରୁ ଅଧିକ ପ୍ରଦର୍ଶନକାରୀ ଇସ୍କନ ମନ୍ଦିର ଉପରେ ହମଲା କରିଥିଲେ। ଠିକ୍ ଏହି ସମୟରେ ହିନ୍ଦୁ ସଂପ୍ରଦାୟର ଲୋକେ ବିଜୟାଦଶମୀରେ ଶୋଭାଯାତ୍ରା ଆୟୋଜନ କରିବାକୁ ଯାଉଥିଲେ। ହେଲେ କିଛି ଅଜଣା ବ୍ୟକ୍ତି ମନ୍ଦିର କମିଟିର ଜଣେ କାର୍ଯ୍ୟକାରୀ ସଦସ୍ୟଙ୍କୁ ପିଟିବା ସହ ଛୁରିରେ ଆକ୍ରମଣ କରିଥିଲେ। ଶନିବାର ସକାଳେ ମନ୍ଦିର ନିକଟସ୍ଥ ପୋଖରୀରୁ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, କୁରାନର କଥିତ ଅପମାନ ପରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବଢିବାରେ ଲାଗିଛି। ଏହା ପୂର୍ବରୁ ଗତ ବୁଧବାର ରାତିରେ ଏକ ହିନ୍ଦୁ ମନ୍ଦିର ଉପରେ ୫୦୦ ଆକ୍ରମଣକାରୀ  ହମଲା କରିଥିଲେ। ମନ୍ଦିରରେ ଭଙ୍ଗାରୁଜା କରିଥିଲେ ଏବଂ ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ପୋଲିସ ଆଉ ଦୁଇ ମୃତଦେହ ଉଦ୍ଧାର କରିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ଘଟିଛି। ଏଥିସହ ହିନ୍ଦୁ ସମୁଦାୟର ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.