ନିଖୋଜ ଦୁଇ ନାବାଳିକା ଉଦ୍ଧାର, ଜଣେ ଗିରଫ
30/01/2019 at 1:43 PM

ନୟାଗଡ ୩୦|୧: ନିଖୋଜ ଦୁଇ ନାବାଳିକାଙ୍କୁ ଉଦ୍ଧାର କଲା ନୟାଗଡ ସଦରଥାନା ପୋଲିସ । କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅଞ୍ଚଳରୁ ସେମାନଙ୍କୁ ଉଦ୍ଧାର କରାଯାଇଥିବାବଳେ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।
ଗତ ୨୫ତାରିଖରେ ନୟାଗଡ ଗୋଡିସାହି ଅଞ୍ଚଳର ଦୁଇ ନାବାଳିକା ସ୍କୁଲ୍ ଯାଇ ଆଉ ଘରକୁ ଫେରିନଥିଲେ । ସ୍ଥାନୀୟ ବରପଲ୍ଲି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଦୁଇଜଣ ସମ୍ପର୍କୀୟ ଭଉଣୀ । କିଛିଦିନ ତଳେ ରଶ୍ମିତା ଭୁୟାଁଙ୍କ ପାଖକୁ ଏକ ରଙ୍ଗ୍ ନମ୍ବରରୁ କଲ୍ ଆସିଥିଲା । କଲ କରିଥିବା ଯୁବକ ଜଣଙ୍କ ଦୈତାରୀ ଥାନା ଅଞ୍ଚଳର କାର୍ତ୍ତିକ ହେମ୍ବ୍ରମ୍ । ଏହାପରେ ରଶ୍ମିତା ସେହି ଯୁବକକୁ ବିବାହ କରିବାକୁ ସ୍ଥିର କରି ଭଉଣୀକୁ ସାଥିରେ ଧରି ଟ୍ରେନ୍ ଯୋଗେ ନୟାଗଡରୁ ବାହାରିଯାଇଥିଲେ । କଥାବାର୍ତ୍ତ। ଅନୁଯାୟୀ କାର୍ତ୍ତିକ ସେମାନଙ୍କୁ ଭୁବନେଶ୍ବରରୁ ଗଁ।କୁ ନେଇଯାଇଥିଲା । ତେବେ ରଶ୍ମିତାଙ୍କୁ ବୟସ ହୋଇନଥିବାରୁ ବିବାହ କରାଇବାକୁ କାର୍ତ୍ତିକଙ୍କ ମା ରାଜି ହୋଇନଥିଲେ । ଘରେ ଦୁଇଦିନ ରହିବାପରେ କାର୍ତ୍ତିକଙ୍କ ମା ଦୈତାରୀ ଥାନାରେ ଏ ସମ୍ପର୍କରେ ଖବର ଦେଇଥିଲେ । ଦୈତାରୀ ଥାନାରୁ ଖବର ପାଇ ସଦରଥାନା ପୋଲିସ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିବା ସହ କାର୍ତ୍ତିକଙ୍କୁ ଗିରଫ କରିଛି । ନାବାଳିକାମାନଙ୍କୁ ସର୍ଟଷ୍ଟେ ହୋମ୍ ରେ ରଖାଯାଇଛି । ସେମାନଙ୍କ ବୟାନ ରେକର୍ଡ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଅଧିକାରୀ କହିଛନ୍ତି ।