ପଡୋଶୀ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ଦୁଇ ନାବାଳିକା, ଥାନାରେ ଅଭିଯୋଗ
31/10/2019 at 9:40 AM

କରଞ୍ଜିଆ ୩୧।୧୦: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଲଜ୍ଜା । ଗୋଟିଏ ଦିନରେ ଦୁଇ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଉଭୟ ଘଟଣାରେ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଡେଲବେଡା ଗାଁରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରେ କେହି ନଥିବା ସୁଯୋଗ ନେଇ ନାବାଳିକାଙ୍କୁ ତାଙ୍କ ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ବାପା ଓ ମା’ ସନ୍ଧ୍ୟାରେ ଗାଈ ଖୋଜିବାକୁ ଯାଇଥିବା ସମୟରେ ନାବାଳିକା ଜଣକ ଘରେ ବସି ପାଠ ପଢ଼ୁଥିଲେ । ସେହି ସମୟରେ ପଡୋଶୀ ଯୁବକ ତାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଛନ୍ତି । ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି । ପରିବାରଲୋକ ଥାନାରେ ଏତଲା ଦେବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସେହିପରି କରଞ୍ଜିଆ ଥାନା ଅନ୍ତର୍ଗତ ଅଙ୍କୁରା ଗାଁରେ ମଧ୍ୟ ସମାନ ଘଟଣା ଘଟିଛି । ପଡୋଶୀଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା । ୪ରୁ ୫ ଦିନ ପୂର୍ବରୁ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ଘଟଣା ସଂପର୍କରେ କାହା ଆଗରେ ପ୍ରକାଶ କରିନଥିଲେ । ନାବାଳିକାଙ୍କର ଶରୀର ଅସୁସ୍ଥ ହେବାରୁ ଆଜି ଘଟଣାଟି ସାମ୍ନାକୁ ଆସିଛି । ତେବେ ଲୋକଲଜ୍ଜା ଭୟରେ ନାବାଳିକାଙ୍କ ବାପା ଓ ମା’ ଘଟଣାକୁ ଲୁଚେଇ ରଖିଥିବା ଜଣାପଡିଛି । ଆଜି ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।