ଦୁଇ ବର୍ଷ ହେଲା ନଜରବନ୍ଦୀରେ ରହି ଦଣ୍ଡ ଭୋଗୁଛନ୍ତି ୨ ମଣିଷ ଖିଆ କଲରାପତରିଆ ବାଘ, ମା’ କୋଳରୁ ଛୁଆକୁ ଟାଣିନେଇଥିଲେ ଏମାନେ…
18/07/2019 at 10:23 AM

ବାରଙ୍ଗ ୧୮|୭: ନନ୍ଦନକାନନରେ ନଜରବନ୍ଦୀ ହୋଇ ଦଣ୍ଡ ପାଉଛନ୍ତି ଦୁଇ ନିରୀହ ଜନ୍ତୁ ଜଙ୍ଗଲୀ କଲରାପତରିଆ ବାଘ । ସେମିତି କୋଠରୀରେ ଦୁଇବର୍ଷ ଧରି ରହିଲା ପରେ ଏବେ ଏମାନଙ୍କ ଉଗ୍ର ସ୍ବଭାବରେ ଆସିଛି ଅନେକ ପରିବର୍ତନ । ତଥାପି ଏମାନଙ୍କୁ ଏବେ ପର୍ଯ୍ୟଟକ ଦେଖିବା ମନା। କେନ୍ଦ୍ରୀୟ ଚିଡିଆଖାନା କର୍ତୃପକ୍ଷଙ୍କ ଅନୁମତି ନ ମିଳିବା ଯାଏଁ ମାନଙ୍କୁ ପର୍ଯ୍ୟଟକଙ୍କୁ ଦେଖେଇବା କଥା ହେଉ ଅବା ଏମାନଙ୍କର ଏଠାରେ ବଂଶ ବୃଦ୍ଧି କରାଯିବା କଥା ହେଉ, କିଛି ହୋଇପାରିବ ନାହିଁ ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ନୂଆପଡା ହଳଦୀ ଗ୍ରାମରେ ଗତ ୨୦୧୭ ମେ ୨୬ ତାରିଖ ଦିନ ଏହି କଲରାପତରିଆ ବାଘ ଜଗନ୍ନାଥ ପାଣ୍ଡେଙ୍କ ୬ବର୍ଷର ଝିଅ ଚାନ୍ଦିନୀକୁ, ତାର ମା’କୋଳରୁ ଝାମ୍ପି ନେଇ ଜଙ୍ଗଲରେ ଭକ୍ଷଣ କରିଥିଲା । ବାଘଙ୍କୁ ଧରିବା ପାଇଁ ବନ ବିଭାଗ ସେଠାରେ ଜନ୍ତା ବସାଇ ଦୁଇ କଲରାପତରିଆ ବାଘଙ୍କୁ କାବୁ କରିଥିଲା । ଏମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଅନ୍ୟଟି ମାଈ ଥିବାବେଳେ ଏମାନଙ୍କୁ ୨୦୧୭ ଜୁଲାଇ ୧୭ ତାରିଖରେ ନନ୍ଦନକାନନରେ ଆଣି ଛଡାଯାଇଥିଲା ।

ଏହି ଦୁଇ ନିରୀହ ବାଘ ଏବେ ନନ୍ଦନକାନନର ନିବୁଜ କୋଠରୀରେ ଜୀବନ ବିତାଉଛନ୍ତି । ଦୁଇବର୍ଷରେ ଏମାନଙ୍କ ଉଗ୍ର ସ୍ବାଭବରେ ଅନେକ ପରିବର୍ତନ ଆସିସାରିଛି । ହେଲେ ଅନୁମତି ନଥିବାରୁ ପର୍ଯ୍ୟଟକଙ୍କୁ ଦେଖାଇବାର ସୁଯୋଗ ମିଳୁନାହିଁ ।

ଅନ୍ୟପଟେ ନନ୍ଦନକାନନରେ ପୂର୍ବରୁ ତିନୋଟି ମାଈ କଲରାପତରିଆ ବାଘ -ଅନିତା, ମଞ୍ଜୁ, ବର୍ଷା ଥିବାବେଳେ ସୁରଜ, ମଙ୍ଗଲ ନାମକ ଦୁଇଟି ଅଣ୍ଡିରା କଲରାପତରିଆ ବାଘ ରହିଛନ୍ତି । ତେବେ ଏମାନଙ୍କର ଏଠାରେ ବଂଶବୃଦ୍ଧି ସମ୍ଭବ ହେଉନାହିଁ । ନୂଆପଡାରୁ ଆସିଥିବା ଦୁଇ ଜଙ୍ଗଲୀ ବାଘଙ୍କୁ ଏଠାରେ ମିଳନ କରାଇ ଏମାନଙ୍କ ବଂଶବୃଦ୍ଧି କରିବା ପାଇଁ କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି । କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଲେ ଏସବୁ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ପଶୁ ଚିକିତ୍ସକ ଶରତ ଚନ୍ଦ୍ର ସାହୁ ।