ହାଇଦ୍ରାବାଦ, ୨୭|୦୭ : କରୋନା ଔଷଧ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ସାଇବରାବାଦ ପୋଲିସ ଜଣେ ଆତ୍ମଘୋଷିତ ବାବା ଓ ତାଙ୍କ ଚେଲାଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ମହମ୍ମଦ ଇସମାଇଲ୍ ଓ ମହମ୍ମଦ ସଲିମ । ଏହି ଦୁଇଜଣ ଠକ କରୋନା ଭଲ ହେବ କହି ଔଷଧ ବିକ୍ରି କରୁଥିଲେ । ଏହି ଔଷଧକୁ ଲୋକଙ୍କୁ ଚଢା ଦରରେ ବିକ୍ରି କରୁଥିଲେ ।
ଇସମାଇଲଙ୍କୁ ଲୋକମାନେ କରୋନା ବାବା ବୋଲି ଡାକନ୍ତି । ସେ ଔଷଧ ସାହାଯ୍ୟରେ କରୋନା ଭଲ କରିଦେବେ ବୋଲି ଲୋକଙ୍କୁ କହିଥିଲେ । ଲୋକମାନେ ମଧ୍ୟ ବାବଙ୍କ କଥାରେ ଔଷଧ କିଣୁଥିଲେ । ଏହି ଔଷଧକୁ ଇସମାଇଲ ୧୨ ହଜାରରୁ ୩୦ ହଜାର ଦରରେ ବିକ୍ରି କରୁଥିଲେ । ଲୋକଙ୍କୁ ଠକିବା ସହ ବିଶ୍ୱାସ ସହ ଖେଳିବା ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରିଛି ।
ମିୟାପୁର ଥାନା ଆଇଆଇସିଙ୍କ କହିବାନୁସାରେ, ଇସମାଏଲ ଓ ସଲିମ ହାଫିଜପେଟରେ ଲୋକଙ୍କୁ ଠକୁଥିଲେ । କରୋନାକୁ ଭଲ କରିବା ପାଇଁ ଔଷଧ ଦେଉଥିଲେ । ଯେଉଁ ଔଷଧର କରୋନା ସହ କୌଣସି ସମ୍ପର୍କ ନଥିଲା । ଲୋକଙ୍କୁ ମିଛ କହି ଔଷଧ ବିକ୍ରି କରୁଥିଲେ । ସେମାନେ ପୂର୍ବରୁ ମନ୍ତ୍ର ଦ୍ୱାରା ଜ୍ୱର ଭଲ କରିଦେବେ କହି ଲୋକଙ୍କୁ ଠକିଛନ୍ତି ।
ବାବାଙ୍କଠାରୁ ୨ଜଣ ବ୍ୟକ୍ତି ଔଷଧ ନେଇଥିଲେ । କିନ୍ତୁ ଏହି ଔଷଧ ସେମାନଙ୍କୁ ଠିକ୍ ଲାଗିନଥିଲା । ଏହାପରେ ସେମାନେ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।