ଭାରତର ଦୁଇ ଉପକୂଳରେ ଗୋଟିଏ ନୁହେଁ ଦୁଇ ଦୁଇଟି ସାଇକ୍ଲୋନ ଓ ସାମୁଦ୍ରିକ ଝଡ , ସାଇକ୍ଲୋନ କାଇରା ଓ ମାହା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | October 24, 2019 IST

ନୂଆଦିଲ୍ଲୀ - ଚଳିତ ମାସରେ କୌଣସି ତୋଫାନ୍‌ ବା ସାଇକ୍ଲୋନ ହେବ ନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ଏବେ ସମୁଦ୍ର ଭିତରେ ଦୁଇ ଦୁଇଟି ଘୂର୍ଣ୍ଣିବାତ୍ୟା ଦାନା ବାନ୍ଧୁଛି । ଗୋଟିଏ ଆରବ ସାଗର ମଧ୍ୟରେ ଥିବା ବେଳେ ଅନ୍ୟଟି ବଙ୍ଗୋପ ସାଗରର ଦକ୍ଷିଣ ଦିଗରେ ଘନୀଭୂତ ହେଉଛି । ପଛକୁ ପଛ ମାତ୍ର ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବ ।

ଏହି ଦୁଇଟି ସାଇକ୍ଲୋନର ନାମ କରଣ ହୋଇ ସାରିଛି । ଗୋଟିକର ନାମ ସାଇକ୍ଲୋନ କାଇରା ହୋଇଥିବା ବେଳେ ଅନ୍ୟଟିର ନାମ ମାହା ।

କେନ୍ଦ୍ରୀୟ ଆରବ ସାଗରରେ ସାଇକ୍ଲୋନ କାଇରା ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପୂର୍ବ ଓ ମଧ୍ୟ ଆରବ ସାଗର ଆଡକୁ ଗତି କରିବ । ଏହା ଲଘୁଚାପ ପରେ ଘନୀଭୂତ ହୋଇ ଡିପ୍ରେସନ ଓ ଡିପ୍‌ ଡିପ୍ରେସନ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓମାନ ଓ ୟେମେନରେ ସ୍ଥଳଭାଗକୁ ସ୍ପର୍ଶ କରିପାରେ ।

ସେହିପରି ସାମୁଦ୍ରିକ ଝଡ ମାହା ଏବେ ବଙ୍ଗୋପ ସାଗରର ଦକ୍ଷିଣ ଦିଗରେ ଘନୀଭୂତ ହେଉଛି । ଅକ୍ଟୋବର ୨୫ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି । ପାଣିପାଗ ସୂଚନା ପ୍ରଦାନକାରୀ ସଂସ୍ଥା ସ୍କାଏମେଟ ଅନୁସାରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଉପକୂଳ ଅତିକ୍ରମ କରିପାରେ । ଏହା ତାମିଲାନାଡୁ ଓ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି କେରଳ ଆଡକୁ ଗତି କରିବ । ୨୬ ତାରିଖ ବେଳକୁ ଏହା ଡିପ୍ରେସନରେ ପରିଣତ ହେବ ।

ଅକ୍ଟୋବର ୨୭ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ତାମିଲନାଡୁର ବିଭିନ୍ନ ଅଞ୍ଚଳ ସହ ପୁଡୁଚେରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ପରେ ଏହା କେରଳ ଆଡକୁ ଗତି କରିବା । ୨୭ ତାରିଖ ପରେ ଏହା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି । ମାତ୍ର ଦୁଇଦିନ ମଧ୍ୟରେ ଗୋଟିଏ ଲଘୁଚାପ ଆରବ ସାଗର ଓ ଅନ୍ୟଟି ବଙ୍ଗୋପ ସାଗର ମଧ୍ୟରେ ଘନୀଭୂତ ହେବ ।

ହେଲେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବା ନାହିଁ ବୋଲି ପୂର୍ବନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.