ଟେକ୍ନିସିଆନ ହୋଇ ଆସୁଥିଲେ, ଲୁଟି ନେଉଥିଲେ ସିସିଟିଭିର ଦାମୀ ବ୍ୟାଟେରୀ : ୨ ଲୁଟେରା ଗିରଫ

Published By : Prameya-News7 Bureau | January 14, 2021 IST

ଭୁବନେଶ୍ବର ୧୪।୧: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା । ଟେକ୍ନିସିଆନ ହୋଇ ଅଟୋରେ ଆସୁଥିଲେ । କାମ କରିବା ବାହାନାରେ ସ୍ମାର୍ଟ ସିଟିର ସିସିଟିଭି ବକ୍ସ ଖୋଳୁଥିଲେ । ଆଉ ସେଥିରେ ଲାଗିଥିବା ଦାମୀ ବ୍ୟାଟେରୀ ଲୁଟ୍ କରି ଫେରାର ହୋଇଯାଉଥିଲେ । ଏହିଭଳି ଦୁଇ ଲୁଟେରାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜା ନାଏକ ଓ ଚନ୍ଦନ ଦାସ । ଏମାନଙ୍କ ବିରୋଧରେ ନୟାପଲ୍ଲୀ, ସହିଦନଗର ଚନ୍ଦ୍ରଶେଖରପୁର, ଲଷ୍ମୀସାଗର, ଖାରବେଳନଗର ବଡଗଡ ଓ କ୍ୟାପିଟାଲ ଥାନାରେ ୩୦ଟି ମାମଲା ରୁଜୁ ହୋଇଛି । ଲକ୍ ଡାଉନ୍ ଆରମ୍ଭ ହେବା ସମୟରୁ ଏମାନେ ବ୍ୟାପକ ଭାବେ ଲୁଟ୍ କରିଥିବା ପୋଲିସ ଜାଣିବାକୁ ପାଇଛି ।

ତେବେ ଲୁଟ୍ ବ୍ୟାଟେରୀର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଲୁଟେରାଙ୍କ ନିକଟରୁ ୨୭ଟି ବ୍ୟାଟେରୀ ଜବତ କରାଯାଇଛି । ଲୁଟେରାମାନେ ବ୍ୟବହାର କରୁଥିବା ଏକ ଅଟୋକୁ ମଧ୍ୟ ପୋଲିସ ଜବତ କରିଛି । ବ୍ୟାଟେରୀ ଲୁଟ୍ କରୁଥିବା ୨ ଜଣ ଲୁଟେରା ଗିରଫ ହୋଇଥିବା ବେଳେ ସାଗମାଛ ଦରରେ ବ୍ୟାଟେରୀ କିଣୁଥିବା ୨ ଜଣଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ୍ ପୋଲିସ । ଏମାନଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ତାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.