ଓଡିଶା ହାଇକୋର୍ଟରେ ଶପଥ ନେଲେ ଦୁଇ ବିଚାରପତି ; ୧୪କୁ ବୃଦ୍ଧି ପାଇଲା ବିଚାରପତିଙ୍କ ସଂଖ୍ୟା
19/11/2018 at 11:40 AM

କଟକ ୧୯|୧୧:
ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ ଓ ଜଷ୍ଟିସ୍ ଡକ୍ଟର ଅକ୍ଷୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି । ଦୁଇ ବିଚାରପତିଙ୍କୁ ମିଶାଇ ହାଇକୋର୍ଟର ବିଚାରପତି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
ଶପଥ ଗ୍ରହଣ କଲେ ୨ ବିଚାରପତି । ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓ ଜଷ୍ଟିସ୍ ଡକ୍ଟର ଅକ୍ଷୟ କୁମାର ମିଶ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଦୁଇ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ସକାଳ ୧୦ଟା ୧୫ରେ ହାଇକୋର୍ଟର ନୂତନ ସୌଧରେ ହୋଇଥିଲା ଶପଥ ଗ୍ରହଣ ଉତ୍ସବ ।
ମାଡ୍ରାସ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀ । ୨୦୧୩ ନଭେମ୍ବର ୨୯ରୁ ୨୦୧୭ ନଭେମ୍ବର ୨୨ ପର୍ଯ୍ୟନ୍ତ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କିରଥିଲେ । ଏହାପରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ୧୯୬୦ ସେପ୍ଟେମ୍ବର ୨୪ରେ ସୋନପୁର ଜିଲା ସୁବଳୟା ଗାଁରେ ଜଷ୍ଟିସ୍ ପୂଜାହାରୀଙ୍କ ଜନ୍ମ । ୧୯୮୬ରେ ସମ୍ବଲପୁର ଲାଲ ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ଏଲଏଲବି ପାଠ୍ୟକ୍ରମ ଶେଷ କରିଥିଲେ। ୨୦୦୩ ଫେବୃୟାରୀ ୩ରେ ବ୍ରହ୍ମପୁରରେ ଦ୍ବିତୀୟ ଅତିରିକ୍ତ ଜିଲା ଦୌରା ଜଜ୍ ଭାବେ ଯୋଗଦେଇଥିଲେ। ଏହାପରେ ଜୟପୁର, ବ୍ରହ୍ମପୁର, ପୁରୀ, କଟକରେ ଜିଲା ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଦ୍ବିତୀୟ ଥର ପାଇଁ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟି୍ତ୍ବ ଗ୍ରହଣ କରିଛନ୍ତି ।
ସେହିପରି ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ କୁମାର ମିଶ୍ର ଆଜି ବିଚାରପତି ଭାବେ ଶପଥ ନେଇଛନ୍ତି । ୧୯୫୮ ନଭେମ୍ବର ୯ ରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଗଉଡ ସାହିରେ ଜଷ୍ଟିସ୍ ମିଶ୍ରଙ୍କ ଜନ୍ମ । ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତରେ ଡିଗ୍ରି ହାସଲ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲଏମ୍ ଡିଗ୍ରି ହାସଲ କରିବା ପରେ ଆଇନ ପାଠ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ । ଆଜି ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।