ଧମକ ଚମକ ଦେଇ ଟଙ୍କା ଆଦାୟ, ଗିରଫ ହେଲେ ଦୁଇ ସାମ୍ବାଦିକ

Published By : Prameya-News7 Bureau | November 15, 2020 IST

ମୁମ୍ଵାଇ ୧୫।୧୧: ଜଣେ ବ୍ୟକ୍ତିଙ୍କୁ ଧମକ ଚମକ ଦେଇ ବଳପୂର୍ବକ ଅର୍ଥ ଆଦାୟ କରିବା ଅଭିଯୋଗରେ ପୁଲିସ ବୁଧବାର ମହାରାଷ୍ଟ୍ର ଗୋରେଗାଓଁରେ ଦୁଇ ଜଣ ସ୍ଥାନୀୟ ସାମ୍ବାଦିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇ ସାମ୍ଵାଦିକଙ୍କ ନାଁ ରାକେଶ କଶ୍ୟପ ଏବଂ ଲଲେଶ ଭଗତ।

ସୂଚନା ଅନୁଯାୟୀ ଜଣେ ୨୭ ବର୍ଷୀୟ ଯୁବକ ନିଜ ଘର ପଛ ପଟେ ଥିବା ଏକ ଅଶ୍ଵତଥ୍ ବୃକ୍ଷ କାଟୁଥିଲେ। ହେଲେ ଗଛ ସାମ୍ବାଦିକଙ୍କ ଉପରେ ପଡିଥିଲା। ଜୋନ ୧୧ର ଡେପୁଟୀ ପୁଲିସ କମିସନର ବିଶାଳ ଠାକୁର କହିଛନ୍ତି ସାମ୍ଵାଦିକ କଶ୍ୟପ ଓ ଭଗତ କଟା ଯାଇଥିବା ଗଛର ଫଟୋ ଟ୍ଵିଟ୍ କରିଥିଲେ ଏବଂ ଅଭିଯୋଗକାରୀଙ୍କୁ ଏହି ପୋଷ୍ଟ ଦେଖାଇଥିଲେ। ସେମାନେ ଅଭିଯୋଗକାରୀଙ୍କୁ କହିଥିଲେ ଯେ, ଯଦି ୫୦ ହଜାର ଟଙ୍କା ନଦିଅ ତେବେ ବିଏମସିଠାରେ ତୁମ ନାଁରେ ଅଭିଯୋଗ କରାଯିବ।

ଅଭିଯୋଗକାରୀ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଦେଇଥିଲେ। ପରେ ୩୦ ହଜାର ଟଙ୍କା ଦେଇଥିଲେ। ହେଲେ ଦୁଇ ସାମ୍ବାଦିକ ଉକ୍ତ ଯୁବକଙ୍କୁ ଆଉ ୧୫ ହଜାର ଟଙ୍କା  ମାଗିଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବକ ଜଣକ ଗୋରେଗାଓଁ ଥାନାରେ ଗତ ମଙ୍ଗଳବାର ଏତଲା ଦାୟର କରିଥିଲେ।  ପୂର୍ବ ପ୍ରସ୍ତୁତି ଯୋଜନା ଅନୁଯାୟୀ ପୁଲିସ ଦୁଇ ସାମ୍ବାଦିକଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।

ବୁଧବାର ସାମ୍ବାଦିକ ଯେମିତି ଅଭିଯୋଗକାରୀଙ୍କଠୁ ୫ ହଜାର ଟଙ୍କା ନେଉଥିଲେ, ସେହି ସମୟରେ ଆଗରୁ ଛପ ରହିଥିବା ପୁଲିସ ଦୁଇ ସାମ୍ବାଦିକଙ୍କୁ  କାବୁ କରିନେଇଥିଲେ। ଠାକୁର କହିଛନ୍ତି, ପୁଲିସ ଅଭିଯୁକ୍ତଙ୍କଠୁ ଅନେକ ପ୍ରେସ୍ ପରିଚୟ ପତ୍ର ଜବତ କରିଛି। ସେମାନେ ଫେରିବାଲାଙ୍କଠୁ ମଧ୍ୟ ପଇସା ଲୁଟିଥିବା ପୁଲିସ କହିଛି। ପୁଲିସ ଆଉ ଜଣେ ଲୋକଙ୍କ ସନ୍ଧାନ କରୁଛି ଯିଏ ଦୁଇ ସାମ୍ବାଦିକଙ୍କ ସହିତ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.