ଭାଲୁ ଆକ୍ରମଣରେ ୨ ଗୁରୁତର , ଜାଣିଶୁଣି ଚୁପ୍ ବସିଛି ବନବିଭାଗ-ସ୍ଥାନୀୟଲୋକେ

Published By : Prameya-News7 Bureau | November 29, 2020 IST

ନୂଆପଡା ୨୯।୧୧ : ନୂଆପଡା ଜିଲ୍ଲାରେ  ଦିନକୁ ଦିନ ବଢିବାରେ ଲାଗିଛି ଭାଲୁ ଆତଙ୍କ । ଜାଣି ଶୁଣି ବି ବନ ବିଭାଗ ଚୁପ୍ ବସିଛି । ଯେଉଁଥିପାଇଁ କେତେବେଳେ ନିରିହ ଲୋକଙ୍କ ଜୀବନ ଯାଉଛି ତ କେତେବେଳେ ଅଜଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ସାଧାରଣ ଜନତା । ସୁରକ୍ଷା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜାଣିଶୁଣି ବନ ବିଭାଗ ଚୁପ୍ ।

ନୂଆପଡା ଜିଲ୍ଲାରେ ପ୍ରତିଦିନ ଭାଲୁ ଆକ୍ରମଣ ର ଚିତ୍ର ସାମନାକୁ ଆସୁଛି । ଆଜି ଗୋଟିଏ ଦିନରେ ଦୁଇ ଜଣ ଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ସିନାପାଲି ରେଞ୍ଜ ପଲସାପଡା ଗାଁର ଅଏଁଲା ତାଣ୍ଡି ସକାଳୁ ପଞ୍ଚୁକ ବୁଡ ପାଇଁ ସ୍ଥାନୀୟ ନଦୀକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ କରିଥିଲା । ନିକଟରେ ଥିବା ଲୋକେ ଠେଙ୍ଗା ବାଡି ଧରି ଘଉଡେଇବା ପରେ ଭାଲୁଟି ଛାଡି ପଲାଇଥିଲା । ସ୍ଥାନୀୟଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସେହିପରି ନୂଆପଡା ରେଞ୍ଜ ତିଲେଇ ଦାଦର ଗ୍ରାମର ଶିବ ପ୍ରସାଦ ରାଉତ ବିଲରେ କାମ କରୁଥିବା ସମୟରେ ହଠାତ ଦୁଇ ଛୁଆସହ ଏକ ମାଇ ଭାଲୁ ଆକ୍ରମଣ କରିଥିଲା । ନିଜକୁ ବଞ୍ଚାଇବା ପାଇଁ ପାଖରେ ଥିବା ଠେଙ୍ଗା ସାହାଯ୍ୟରେ ଭାଲୁକୁ ଘଉଡାଇବା ପରେ ଅଳ୍ପକେ ମୃତ୍ୟୁ ମୂଖରୁ ବର୍ତ୍ତି ଯାଇଛନ୍ତି । କିନ୍ତୁ ଦେହର ଅନେକ ସ୍ଥାନରେ ଗଭୀର କ୍ଷତ ରହିଛି । ସେଥିଲାଗି ନିକଟସ୍ଥ ମେଡିକାଲର ଡାକ୍ତର ତାଙ୍କୁ ବୁର୍ଲ୍ଲାକୁ ସ୍ଥାନାନ୍ତର କରିଛନ୍ତି । ପୂର୍ବରୁ ସାଲିହା ସ୍ଥିତ ଭାଲୁ ସଂଗ୍ରକ୍ଷଣ ଜଙ୍ଗଲ ଚାରିପଟେ ତାରଜାଲି ଲଗାଯାଇଥିବା ବେଳେ ଭାଲୁ ସେଠାରୁ ବାହାରି ପାରୁ ନଥିଲେ । ହେଲେ ବର୍ତ୍ତମାନ ତାହା ସବୁ ଭାଙ୍ଗି ଗଲାଣି , ଏହାସହ ଖାଦ୍ୟ ଅଭାବରୁ ବାଡି ବଗିଚାର ଖାଦ୍ୟ ଖାଇବା ପାଇଁ ଭାଲୁ ଗାଁ ମୁହାଁ ହେଉଛନ୍ତି । ସଂରକ୍ଷିତ ଜଙ୍ଗଲ ଚାରିପଟେ ଉଚ୍ଚ ତାରବାଡ ପାଇଁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.