ଭାରତୀୟଙ୍କ ଲାଗି ଖରାପ ଖବର, ଜାପାନ ଜାହାଜରେ ଅଟକିଥିବା ଭାରତୀୟଙ୍କ ମଧ୍ୟରେ ୨ ଜଣଙ୍କ ଠାରେ କରୋନା ଭାଇରସ୍‌ ପଜିଟିଭ୍

Published By : Prameya-News7 Bureau | February 12, 2020 IST

ଟୋକିଓ ୧୨/୦୨- କରୋନା ଭାଇରସର ଭୟ ବଢିଲା । ଜାପାନ ଉପକୂଳରେ ଅଟକିଥିବା ବିଶାଳ ନୌଜାହାଜରେ ଦୁଇ ଜଣ ଭାରତୀୟ ଏହି ଭୟଙ୍କର ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିବାପରେ ଏହା ଜଣାପଡିଛି । ସେହି ଦୁଇ କରୋନା ଆକ୍ରାନ୍ତ ଭାରତୀୟ ଜାପାନୀ ଜାହାଜର କର୍ମଚାରୀ । କ୍ରୁଇଜ୍‌ ଜାହାଜ ଡାଇମଣ୍ଟ ପ୍ରିନ୍ସେସ୍‌ ରେ ମୋଟ ୩୭୧୧ ଜଣ ଯାତ୍ରୀ ଏବଂ କର୍ମଚାରୀ ଥିବା ବେଳେ, ସେଥିରୁ କିଛି କରୋନା ଭାଇରସ୍‌ରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଥିଲା । ସେହି ସନ୍ଦେହରେ ଗତ ସପ୍ତାହର ଆରମ୍ଭରୁ ଜାପାନ ଉପକୂଳ ସମୁଦ୍ରରେ ଲଙ୍ଗର ପକାଇଛି ଡାଇମଣ୍ଡ ପ୍ରିନ୍ସେସ୍ । ଗତ ମାସରେ ଯାତ୍ରା ପଥରେ ଥିବା ସେହି ଜାହାଜରେ  ହଂକଂରେ ଚଢିଥିବା ଜଣେ ଯାତ୍ରୀ କରୋନାଭାଇରସ୍‌ର ବାହକ ବୋଲି ସନ୍ଦେହ କରାଯାଉଥିଲା ଏବଂ ତାହା ପରୀକ୍ଷା ପରେ ନିଶ୍ଚିତ ହୋଇଥିଲା । ତେଣୁ ସେବେଠାରୁ ସନ୍ଦେହରେ  ଜାହାଜଟିକୁ ସମୁଦ୍ର କୂଳରେ ରହିବାକୁ ନିର୍ଦ୍ଦେଶ ସହ ସେଥିରେ ଥିବା ସମସ୍ତ ଆରୋହୀଙ୍କ  ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାହାଜ ସହ ସେଥିରେ ଥିବା ଯାତ୍ରୀଙ୍କୁ ନଜରରେ ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାପାନୀ କର୍ତ୍ତୁପକ୍ଷ ।

ଟୋକିଓ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କରୋନା ଭାଇରସ୍‌ ପଜିଟିଭ୍‌ ଦୁଇ ଭାରତୀୟଙ୍କ ସଂପର୍କରେ  ବୁଧବାର ସୂଚନା ଦିଆଯାଇଛି। ଜାହାଜ ଡାଇମଣ୍ଡ ପ୍ରିନ୍ସେସ୍‌ରେ ୧୩୮ ଜଣ ଭାରତୀୟ ଥିବା ବେଳେ।  ସେମାନଙ୍କ ଭିତରୁ କିଛି ସେହି ଜାହାଜର କର୍ମଚାରୀ । ଏବଂ ସେମାନଙ୍କ ଭିତରେ ଦୁଇ ଜଣଙ୍କ ଠାରେ କରୋନା ଭାଇରସ୍‌ ପଜିଟିଭ୍‌ ରିପୋର୍ଟ ଆସିଛି। ଏପଟେ ଚୀନ୍‌ରେ କରୋନା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୧୧୩ ରେ ପହଞ୍ଚିଥିବା ବେଳେ  ଆକ୍ରାନ୍ତଙ୍କ ସଂକ୍ୟା ବିଶ୍ୱବ୍ୟାପି ୪୫ ହଜାର ଛୁଇଁଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.