ଅଗ୍ନିକାଣ୍ଡରେ ୨ ବଖରା ଘର ଭସ୍ମୀଭୂତ: ନାବାଳିକା ଅର୍ଦ୍ଧଦଗ୍ଧ
29/07/2020 at 7:26 PM

ଗଞ୍ଜାମ୨୯/୭: ଭୟାବହ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ଦ୍ବାରଗାଁରେ ବୁଧବାର ମଧ୍ୟାହ୍ନରେ ଗ୍ରାମର ନାୟକ ସାହିର ଭାଗିରଥି ନାୟକଙ୍କ ଘରେ ନିଆଁ ଲାଗି ଯାଇଥିଲା।ଏହି ନିଆଁରେ ଦୁଇ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଭାଗୀରଥଙ୍କ ଝିଅ ମାମା ନାୟକ ନିଆଁ ସଂସ୍ପର୍ଶରେ ଆସି ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡିଛି ।
ଗ୍ରାମର ଭାଗୀରଥଙ୍କ ଝିଅ ମାମା ମଧ୍ୟାହ୍ନ ସମୟରେ ଘରେ ରୋଷେଇ କରୁଥିବା ସମୟରେ ହଠାତ୍ ନିଆଁ ଉଠି ଚାଳକୁ ଲାଗି ଯାଇଥିଲା। ନିଆଁ ଖୁବଶିଘ୍ର ଚାରିପଟେ ବ୍ୟାପି ଯିବାରୁ ତାଙ୍କ ଝିଅ ମାମା ଘର ଭିତରୁ ବାହାରି ପାରିନଥିଲା । ଏହାଦେଖି ଗ୍ରାମର କିଛି ଲୋକ ଘରେ ପଶି ମାମାକୁ ଉଦ୍ଧାର କରିଥିଲେ ମଧ୍ୟ ମାମାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିଲା । ଘଟଣାପରେ ସ୍ଥାନୀୟ ସରପଞ୍ଚ ଭୀମସେନ ସାହୁ ପହଁଞ୍ଚି ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଖବରପାଇ ଓଆଇସି ପ୍ରଫୁଲ୍ଲ କୁମାର ବେହେରା ଓ ଜିଆଇସି ରାଜେନ୍ଦ୍ର ନାରାୟଣ ଦାସଙ୍କ ନେତୃତ୍ୱରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୁରୁତର ଅବସ୍ଥାରେ ମାମାଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଥମେ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡଡ଼ାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି ।