କୋଚିଲା ନଦୀପଠାରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ନାବାଳିକାଙ୍କର ମୃତ୍ୟୁ ଘଟଣା : ୨ ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା
5/11/2019 at 9:38 AM

ଧାମନଗର ୫।୧୧: ଭଦ୍ରକ କୋଚିଲା ନଦୀପଠାରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ନାବାଳିକାଙ୍କର କଟକ ବଡ଼ ମେଡିକାଲରେ ମୃତ୍ୟୁ ହେବା ଘଟଣାରେ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଘଟଣାରେ ପୂର୍ବାଞ୍ଚଳ ଆଇ.ଜି, ଭଦ୍ରକ ଏସପିଙ୍କୁ ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳିକାଙ୍କୁ ଅପହରଣ କରିବା ପରେ ଗାଡ଼ି ଦୁର୍ଘଟଣା ଘଟାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ନାବାଳିକା ଜଣକ ଯାଜପୁର ଜିଲ୍ଲା ଅହିୟାସ ଅଞ୍ଚଳର ।
ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ନାବାଳିକା ଜଣକ ଦୁର୍ଘଟଣାରେ ଆହତ ହୋଇ ନଦୀପଠାରେ ପଡ଼ିଥିବା ବେଳେ ସେମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା କହିଥିଲେ । ପରେ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ ୨ ଯୁବକ । ଏହି ଘଟଣାରେ ଅଭିଯୁକ୍ତଙ୍କ ସହ ଅନ୍ୟ ତିନିଜଣ ଯୁବକ ସାମିଲ ଥିଲେ। ପୋଲିସ ହବିବ ନଗର ଅଞ୍ଚଳରୁ ସହଯୋଗୀ ଗୁଲାମ ଗସ୍ କୁ ଅଟକ ରଖି ଯାଜପୁର ମଙ୍ଗଳପୁର ପୋଲିସକୁ ହସ୍ତାନ୍ତର କରିଛି । ମୁଖ୍ୟ ଅଭିଯୁକ୍ତ ସେକ୍ ନନ୍ ଓ ଅନ୍ୟ ୨ ସହଯୋଗୀ ଫେରାର ହୋଇଯାଇଛନ୍ତି।
ଘଟଣା ବିଷୟରେ ଜଣେ ବ୍ୟକ୍ତି ପୂର୍ବାଞ୍ଚଳ ଆଇଜିଙ୍କୁ ଟ୍ବିଟ୍ କରିଥିଲେ । ପୂର୍ବାଞ୍ଚଳ ଆଇଜି ଘଟଣାର ତଦନ୍ତ ଦାୟିତ୍ଵ ଭଦ୍ରକ ଏସପିଙ୍କୁ ଦେଇଥିଲେ । କିନ୍ତୁ ଭଦ୍ରକ ଏସପି ଟ୍ବିଟ୍ ଉତ୍ତର ଦେଇଥିଲେ ଯେ ଏମିତି କୌଣସି ଘଟଣା ଭଦ୍ରକ ଜିଲ୍ଲାରେ ଘଟିନାହିଁ । ଘଟଣା ଯାଜପୁର ଜିଲ୍ଲାର। ଏସପିଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ସୃଷ୍ଟି ହେବାପରେ ପୂର୍ବାଞ୍ଚଳ ଆଇଜି ଭଦ୍ରକ ଏସପିଙ୍କୁ ନିଜେ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ପ୍ରଥମେ ଅପହରଣ ଓ ପରେ ଗାଡି ଧକ୍କା ପୁଣି ନାବାଳିକାଙ୍କୁ ମେଡିକାଲରେ ଗୁରୁତର ଅବସ୍ଥାରେ ଛାଡି ପଳାଇଯିବାକୁ ନେଇ ସନ୍ଦେହ ବଢି଼ବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଗିରଫ ହେଲେ ଘଟଣାର ରହସ୍ୟ ଜଣାପଡିବ।