ଘରେ ପଶି ମା-ଝିଅଙ୍କୁ ହତ୍ୟା : ଶୋଇଥିବା ଅବସ୍ଥାରେ ହାଣିଛି ଦୁର୍ବୃତ୍ତ , ସନ୍ଦେହରେ ଦିଅର ଅଟକ
13/09/2020 at 12:45 PM

ବଡ଼ବିଲ ୧୩।୦୯: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଧଳାଡ଼ିହି ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ପଶି ମା-ଝିଅ ଶୋଇଥିବା ବେଳେ ହତ୍ୟା କରାଯାଇଛି । ମୃତକ ରାମ ମୁଣ୍ଡାଙ୍କ ପତ୍ନୀ ସରସ୍ୱତୀ ମୁଣ୍ଡା ଓ ତାଙ୍କର ୧୦ବର୍ଷର ଝିଅ ଲକ୍ଷ୍ମୀ ମୁଣ୍ଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ସରସ୍ୱତୀଙ୍କ ୧୫ ବର୍ଷର ପୁଅ ଲକ୍ଷ୍ମୀଧରର କହିବା କଥା ଯେ, ଗତକାଲି ସନ୍ଧ୍ୟାରେ ମା ସରସ୍ଵତୀ, କକା ନଟ ମୁଣ୍ଡାଙ୍କ ସହ ଘରେ ବସି ମଦ୍ୟପାନ କରୁଥିଲେ । ଏତିକି ବେଳେ, ସେ ଓ ତାଙ୍କ ୧୨ ବର୍ଷୀୟା ଭଉଣୀ ପାର୍ବତୀ, ସମ୍ପର୍କୀୟ ମାମୁଙ୍କ ଘରକୁ ଚାଲିଯାଇଥିଲେ । ଆଜି ସକାଳୁ ସାନ ଭଉଣୀ ଯମୁନା ଠାରୁ ଶୁଣିବା ପରେ ମା ଓ ଭଉଣୀଙ୍କ ହତ୍ୟା ହୋଇଥିବା ଜାଣିବାକୁ ପାଇଥିଲେ ।

ତେବେ ରାତିରେ କେହି ଦୃବୃର୍ତ୍ତ ସରସ୍ଵତୀ ଓ ଝିଅ ଲକ୍ଷ୍ମୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟାକାଣ୍ଡ ଭିଆଇଛି । ବୋଧ ହୁଏ ଶୋଇଥିବା ଅବସ୍ଥାରେ କିଛି ଜାଣିପାରି ନଥିଲେ , ତେଣୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୪ ବର୍ଷର କୋମଳମତି ଝିଅ ଯମୁନା। ତେବେ ରାତିରେ କେତେବେଳେ ଓ କିପରି ଏହି ହତ୍ୟାକାଣ୍ଡ ଘଟିଛି ତାହାକୁ ନେଇ ଅନୁସନ୍ଧାନ ଚଳାଇଛି ପୋଲିସ । ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ରକରି ରାମ ମୁଣ୍ଡା ନିଜ ଭାଇ ନଟ ମୁଣ୍ଡାଙ୍କୁ ହତ୍ୟା ଉଦ୍ୟମ କରି ଅଢେଇ ବର୍ଷ ହେବ ଜେଲରେ ଅଛନ୍ତି। ତେବେ ଏହି ହତ୍ୟାକାଣ୍ଡ ପଛରେ ନଟ ମୁଣ୍ଡାର ସମ୍ପୃକ୍ତି ଅଛି କି ନା’ ସେ ନେଇ ନଟକୁ ଅଟକ ରଖି ପୋଲିସ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।