କାଜୁ ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ !
10/01/2019 at 11:45 AM

ନବରଙ୍ଗପୁର ୧୦|୧: ନବରଙ୍ଗପୁରରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଉଭୟଙ୍କ ମୃତଦେହ ଗାଁ ନିକଟ କାଜୁ ଜଙ୍ଗଲରେ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଗୁମିଦରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଖାଇସାରିବା ପରେ ଉଭୟ ଯୁବକ ଓ ଯୁବତୀ ନିଜ ନିଜ ଘରୁ ବାହାରିଯାଇଥିଲେ । ସକାଳୁ ଗ୍ରାମବାସୀମାନେ ଶୌଚ ହେବାପାଇଁକାଜୁ ଜଙ୍ଗଲ ରାସ୍ତାରେ ଯିବା ସମୟରେ ଉଭୟ ପ୍ରେମୀଯୁଗଳଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖି ପରିବାରଲୋକଙ୍କୁ ଖବର ଦେଇଥିଲେ। ଗତକାଲି ବିଳମ୍ବିତ ରାତିରେ ଗାଁ ନିକଟ କାଜୁ ଜଙ୍ଗଲରେ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପାପଡହାଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ମେଡିକାଲକୁ ପଠାଇଛି । ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇ ଆତ୍ମହତ୍ୟା ନାଁ ଦେବାକୁ ଚାହୁଁଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ଉଭୟ ପରସ୍ପରକୁ ଦୀର୍ଘ ଦିନ ଧରି ଭଲପାଇଆସୁଥିଲେ । ମାତ୍ର ପୁଅ ଘରଲୋକ ଏହାକୁ ସ୍ବୀକାର କରିନଥିବାରୁ ସେମାନେ ଏଭଳି କରିଥାଇପାରନ୍ତି ବୋଲି ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି ।