ଗାର୍ଲଫ୍ରେଣ୍ଡକୁ ଭେଟିବା ପାଇଁ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଫେରାର ମାରିଲେ ୨ ଯୁବକ, ଦେଶୀ ମଦ-ଗଞ୍ଜେଇ ଧରି ଫେରିଲେ

Published By : Prameya-News7 Bureau | June 13, 2020 IST

ଇମ୍ଫାଲ ୧୩।୦୬: କେଉଁଠି ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ର(କ୍ଵାରେଣ୍ଟାଇନ୍‌ ସେଣ୍ଟର)ରେ ନାଚୁଥିବା, ଦାସ କାଠିଆ କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ କେଉଁଠି କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳୁଛି। ପୁଣି କେଉଁଠି କ୍ଵାରେଣ୍ଟାଇନ୍ ସେଣ୍ଟରରେ ଷ୍ଟେଜ୍‌ କରି ଡିଜେ ସାଉଣ୍ଡ ଲଗାଇ ନାଚୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ମଣିପୁରର ତାମେଙ୍ଗଲାଙ୍ଗରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣ ହସିବେ ନା ଚକିତ  ହେବେ ନା ରାଗିବେ ନିଜେ ହିଁ କହି ପାରିବେ। ସୂଚନା ଅନୁଯାୟୀ ତାମେଙ୍ଗଲାଙ୍ଗର କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଦୁଇ ଯୁବକ ନିଜର ଗାର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ। ଏହା ପରେ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଫେରାର ମାରିଥିଲେ ଏବଂ କିଛି ସମୟ ପରେ ପୁଣି ଫେରି ଆସିଥିଲେ। ହେଲେ ଫେରିବା ପରେ ଦୁହିଁଙ୍କଠୁ ଗଞ୍ଜେଇ, ସିଗାରେଟ୍ ଏବଂ ବହୁ ପରିମାଣରେ ମଦ ମିଳିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଯେବେ ଅଧିକାରୀ ଏହି ଦୁଇ ଯୁବକଙ୍କୁ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକଙ୍କୁ ମଦ, ସିଗାରେଟ୍ ଏବଂ ଗଞ୍ଜେଇ ବିକୁଥିବା ଅବସ୍ଥାରେ ଧରିଲେ ତେବେ ଯାଇ ଏହି ଘଟଣା ଲୋକଲୋଚନକୁ ଆସିଛି। ଏହି ପୂରା ଘଟଣାକ୍ରମ ବିଷୟରେ ଉଲ୍ଲେଖ କରି ତାମେଙ୍ଗଲାଙ୍ଗର ଡେପୁଟୀ କମିଶନର ନିଜର ଫେସବୁକ୍‌ରେ ପୋଷ୍ଟ କରିଛନ୍ତି। କିନ୍ତୁ ସେ ଏହି ଘଟଣାର ତାରିଖ କହି ନାହାନ୍ତି।

ଧରି କି ଆସିଲେ ୮ ଲକ୍ଷ ମଦ

ଏହି ଦୁଇ ଯୁବକ ଗାର୍ଲଫ୍ରେଣ୍ଡକୁ ଭେଟିବାକୁ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଫେରାର ମାରିଥିଲେ। ମାତ୍ର ଯେବ ବାଇକ୍‌ରେ ଫେରିଲେ ସାଥିରେ ୮ ଲିଟର ଦେଶୀ ମଦ, ୪ ପକେଟ୍ ଗଞ୍ଜେଇ ଓ ସିଗାରେଟ୍ ଧରି ଆସିଲେ। ଏହା ପରେ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଲୋକଙ୍କୁ ବିକ୍ରି କରିବା ଆରମ୍ଭ କଲେ।  ଡିଏମ ଆର୍ମଷ୍ଟ୍ରଙ୍ଗ ପାମ୍ କହିଛନ୍ତି, ତାଙ୍କୁ ଏବଂ ତାଙ୍କ ଟିମ୍‌ ବୁଝି ପାରୁ ନାହାନ୍ତି ଯେ, ଏମିତି ଲୋକ ଏବଂ ସ୍ଥାନୀୟ ଠକଙ୍କ କେମିତି ମୁକାବିଲା କରାଯିବ। ଜିଲ୍ଲା ପ୍ରଶାସନ ସଜା ଦେବାକୁ ଉଭୟଙ୍କୁ ଜେଲ୍‌ ପଠାଇବାକୁ ବ୍ୟବସ୍ଥା କରିଥିଲେ, ହେଲେ କରୋନା କାରଣରୁ ଜେଲ୍ ବନ୍ଦ ରହିଛି।

ଏମାନଙ୍କୁ କେଉଁ ସଜା ଦିଆଯିବ ?

ସେ ଲେଖିଛନ୍ତି ଯେ, ବୁଝି ପାରୁ ନାହିଁ ଏମିତି ଲୋକଙ୍କୁ କେଉଁ ଦଣ୍ଡ ଦିଆଯିବା ଉଚିତ୍। ଆଉ ଗୋଟିଏ କଥା ମାନବାଧିକାର ଉଲ୍ଲଂଘନ ହେବା ଭୟରେ କେହି ହେଲେ ଏମାନଙ୍କୁ ପିଟିବାକୁ ଚାହୁଁ ନାହାନ୍ତି। ଯଦି ଜୋରିମାନା ଲଗାଇ ଛାଡି ଦିଆଯାଏ ତେବେ ସେମାନେ ନିଜ ସାମଗ୍ରୀ ଉଚ୍ଚ ଦରରେ ବିକି ଦେଇଥିବା ଜରିମାନାର ଭରଣା କରି ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.