ପୋଲିସରେ ଭର୍ତ୍ତି ପାଇଁ ଦୌଡ଼ୁଥିଲେ ଯୁବତୀ, ପଛରୁ ମାଡ଼ିଗଲା ଟ୍ରକ୍‌, ୨ ମୃତ

Published By : Prameya-News7 Bureau | October 31, 2020 IST

ଗୋରଖପୁର ୩୧/୧୦: ପୋଲିସ ଏବଂ ସେନାରେ ଭର୍ତ୍ତି ହେବାକୁ ହେଲେ  ଫିଜିକାଲ୍‌ ଫିଟ୍‌ନେସ୍‌ ନିହାତି ଦରକାର। ଦୌଡ଼ ସାଙ୍ଗକୁ ଲଙ୍ଗ ଜମ୍ପ, ହାଇ ଜମ୍ପ ଆଦି ଜରୁରୀ। ଏଥିପାଇଁ ବହୁ ଯୁବକ ଯୁବତୀ ଅଭ୍ୟାସ ମଧ୍ୟ କରୁଛନ୍ତି। କିନ୍ତୁ ପୋଲିସରେ ଭର୍ତ୍ତି ପାଇଁ ଲକ୍ଷ୍ୟ ରଖି ସକାଳୁ ସକାଳୁ ଦୌଡ଼ିବାକୁ ବାହାରିଥିବା ୩ ଯୁବତୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଏଭଳି ଏକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ଗୋରଖପୁର-ବାରଣାସୀ ରାଜପଥ ଉପରେ ବେଲିପୁର ଥାନା ପାଖରେ ତିନି ଯୁବତୀଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଥିବା ଜଣାପଡ଼ିଛି। ଟ୍ରକ୍‌ ଚକ ମାଡ଼ି ହୋଇଯିବାରୁ ଘଟଣାସ୍ଥଳରେ ରୀମା ଗୁପ୍ତା(୧୮) ଓ ଶ୍ରେୟଜଲ (୧୭) ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ପ୍ରିୟା ବର୍ମା ଗୁରୁତର ହୋଇଥିଲେ। ତେବେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତାଘାଟ ବନ୍ଦ କରିବା ସହ ଜଳାପୋଡ଼ା କରିଥିଲେ। ତେବେ ସେହି ରାସ୍ତା ଦେଇ ଯାଉଥିବା ବିଜେପି ସାଂସଦ ରବି କିଶନ ଓ ଗାଁ ମୁଖିଆ ପହଞ୍ଚି ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଥିଲା।ସେପଟେ ଦୁର୍ଘଟଣା ପରେ ଟ୍ରକ୍‌ ଛାଡ଼ି ଫେରାର ହୋଇଯାଇଥିଲା ଡ୍ରାଇଭର। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.