ଯୁବତୀଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ , ଅଶ୍ଳୀଳ ଫଟୋ ଭାଇରାଲ୍‌ ଘଟଣାରେ ୨ ଅଟକ

Published By : Prameya-News7 Bureau | August 10, 2020 IST

ବିଞ୍ଝାରପୁର ୧୦।୦୮: ବିଞ୍ଝାରପୁର ଥାନା ମାଧପୁର ଅଞ୍ଚଳର ଜୈନିକା ଯୁବତୀଙ୍କ ନାମରେ ଏକ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ସଂପୃକ୍ତ ଯୁବତୀଙ୍କୁ ହଇରାଣ କରିବାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ୨୧୫/୨୦ରେ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ସାଇବର କ୍ରାଇମ୍‌ ସେଲ୍‌ର ସହାୟତାରେ ଫେକ୍‌ ଆକାଉଣ୍ଟ ଖୋଲିଥିବା ଯୁବକକୁ କାବୁ କରିବାରେ ସଫଳ ହୋଇଛି ।

ସୂଚନାଯୋଗ୍ୟ ଯେ, ମାଧପୁର ଅଞ୍ଚଳର ଜନୈକା ଯୁବତୀଙ୍କ ନାମରେ ଜରୀ ଅଞ୍ଚଳର ୨୩ ବର୍ଷୀୟ ଯୁବକ ଏକ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିବା ପରେ ଯୁବତୀଙ୍କ ସଂପର୍କୀୟଙ୍କ ନିକଟକୁ ଅଶ୍ଳୀଳ ଫଟୋ ଓ ମେସେଜ୍‌ ପଠାଯାଇଥିଲା । ଏ ସଂପର୍କରେ ଯୁବତୀ ଜଣକ ଜାଣିବା ପରେ ୨ଦିନ ତଳେ ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ । ବିଞ୍ଝାରପୁର ଥାନା ଅଧିକାରୀ ନିରଞ୍ଜନ ଶବର ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହିତ ସାଇବର ସେଲ୍‌ର ସହାୟତା ଲୋଡ଼ିଥିଲେ ।

ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜରୀ ଗ୍ରାମର ୨୩ ବର୍ଷୀୟ ଯୁବକଙ୍କ ସମେତ ୨ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ଏହି ଫେସ୍‌ବୁକ୍‌ ଆକାଉଣ୍ଟରୁ ୪ରୁ ଅଧିକ ଝିଅଙ୍କ ସହିତ ଚାଟିଂ କରିବା ସହିତ ସେମାନଙ୍କୁ ଅଶ୍ଳୀଳ ମେସଜ୍‌ ପଠାଉଥିଲା । ତଦନ୍ତ ଜାରି ରହିଛି । ସଂପୂର୍ଣ୍ଣ ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଶବର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.