କେନ୍ଦ୍ରରେ ଓଡିଶାରୁ ୨ ମନ୍ତ୍ରୀ, ନିରାଶ ହେଲେ ଜୁଏଲ ଓ ଅପରାଜିତା

Published By : Prameya-News7 Bureau | May 30, 2019 IST

ଭୁବନେଶ୍ବର ୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳି ସରକାରରେ ଓଡିଶାକୁ ମିଳିଛନ୍ତି ୨ କେନ୍ଦ୍ରମନ୍ତ୍ରୀ। ଏଥିରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ପ୍ରଥମ ଥର ସାଂସଦ ନିର୍ବାଚିତ ପ୍ରତାପ ଷଢଙ୍ଗୀଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପଦବୀ। ତେବେ କେନ୍ଦ୍ରରେ ଏଥର ଓଡିଶାକୁ ଅଧିକ ପ୍ରାଧାନ୍ୟ ମିଳିବ ବୋଲି ରାଜ୍ୟ ବିଜେପି ଆଶାୟୀ ଥିବା ବେଳେ ଅନୁନ୍ୟ ୩ ଜଣ କେନ୍ଦ୍ରମନ୍ତ୍ରୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରିମଣ୍ଡଳର ଶପଥପାଠ ଉତ୍ସବ ପରେ ଚର୍ଚ୍ଚାରେ ବୀରାମ ଲାଗିଛି । ତେବେ ଏନଡିଏର ଗତ ୨ ପାଳିରେ କେନ୍ଦ୍ରମନ୍ତ୍ରୀ ଥିବା ଜୁଏଲ ଓରାମ ଏଥର ନିରାଶ ହୋଇଥିବା ବେଳେ ଉଚ୍ଚ ପ୍ରଶାସନିକ ଅଧିକାରୀ ପଦବୀରୁ ଇସ୍ତଫା ଦେଇ ରାଜନୀତିରେ ନୂଆକରି ପାଦ ଥାପିଥିବା ଅପରାଜିତା ଷଢଙ୍ଗୀଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳି ନାହିଁ।

{"id":117854}

୨୦୧୪ ସାଧାରଣ ନିର୍ବାଚନରେ ଓଡିଶାରୁ ଜୁଏଲ ଏକାକୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ପାଳି  ସରକାରରେ ଜୁଏଲଙ୍କୁ ତାଙ୍କ କ୍ୟାବିନେଟରେ ସ୍ଥାନ ଦେବା ସହ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦାୟିତ୍ବ ନ୍ୟସ୍ତ କରିଥିଲେ। ତେବେ ଦ୍ବିତୀୟବାର ଜୁଏଲଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଶପଥପାଠ ଉତ୍ସବ ପରେ ପାଣି ଫାଟି ଯାଇଛି। ଗତ ସରକାରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତି ଗ୍ୟାସମନ୍ତ୍ରାଳୟ ଦାୟିତ୍ବରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଯଦିଓ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରି ନଥିଲେ, ତଥାପି ଦଳର ବିପୁଳ ବିଜୟରେ ତାଙ୍କର  ପ୍ରତ୍ୟକ୍ଷ ଭୂମିକା ଥିଲା।  ବିଜେପି ଜାତୀୟ ସଭାପତି ଅମିତ ଶାହଙ୍କ ସହ ଧର୍ମେନ୍ଦ୍ର  ରାଜ୍ୟ ତଥା ଦେଶରେ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିଲେ। ଯେଉଁଥି ପାଇଁ ଓଡିଶାରେ ବିଜେପି ଗୋଟିଏ ଲୋକ ସଭା ଆସନରୁ ୮ଟିକୁ ପହଞ୍ଚିଥିବା ବେଳେ ବିଧାନସଭାରେ ଅନୁନ୍ୟ ବିରୋଧୀ ଦଳ ଭାବେ ଉଭା ହୋଇପାରିଛି।

{"id":117855}

ତେବେ ପ୍ରଥମ କରି ସାଂସଦ ନିର୍ବାଚିତ ହୋଇଥିବା ପ୍ରତାପ ଷଢଙ୍ଗୀଙ୍କୁ ମୋଦି ରାଷ୍ଟ୍ରମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସମିଲ କରି ପ୍ରତାପ ସମେତ ରାଜ୍ୟବାସୀଙ୍କୁ ଗର୍ବିତ କରିଛନ୍ତି ।  ବିଧାୟକ ଭାବେ ପ୍ରତାପ ବିଧାନସଭାରେ ବେଶ ସମ୍ମାନିତ ଥିଲେ। ନିଳଗିରି ବିଧାନସଭା ନିର୍ବାଚନମଣ୍ଡଳିର ସମସ୍ୟା ବେଶ୍ ମାର୍ଜିତ ଭାବେ ପ୍ରତାପ ବିଧାନସଭାରେ ଉପସ୍ଥାପନ କରି ସମାଧାନ କରିବାର ଶରଳ ରାସ୍ତା ବାହାର କରିନେଉଥିଲେ। ଏଣୁ ବାଲେଶ୍ବର ଲୋକସଭା ଆସନ ନିମନ୍ତେ ମତଦାତା ତାଙ୍କ ଉପରେ ଆସ୍ଥା ସ୍ଥାପନ କରିଥିବା ବେଳେ କେନ୍ଦ୍ରର ନୂତନ ସରକାର ମଧ୍ୟ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ତାଙ୍କ ନିର୍ବାଚନମଣ୍ଡଳିବାସୀଙ୍କୁ ଆସ୍ବସ୍ତ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.