ଚିକିତ୍ସା ବାହାନାରେ ଗର୍ଭବତୀ ମହିଳାଙ୍କୁ ଅସଦାଚରଣ: ଧରାପଡିଲେ ୨ ନକଲି ଡାକ୍ତର
16/10/2020 at 10:01 AM

ବସ୍ତା୧୬/୧୦: ବାଲେଶ୍ୱର ଜିଲ୍ଲା ବସ୍ତା ଡାକ୍ତରଖାନାରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଡାକ୍ତର କହି ୨ ଯୁବକ ପ୍ରସୂତି ୱାର୍ଡ଼କୁ ଆସିଥିଲେ । ଅନ୍ତଃସତ୍ତ୍ୱାଙ୍କୁ ପରୀକ୍ଷା ନିରୀକ୍ଷା ଆଳରେ ଅସଦାଚରଣ କରିବା ଭଳି ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ। ହେଲେ ଡାକ୍ତରଖାନା ଚିକିତ୍ସାଧିକାରୀ ଥାନାରେ ଲିଖିତ ଅଭିଯୋଗ ନଦେବାରୁ ପୁଲିସ ସେହି ଅଭିଯୁକ୍ତ ଦ୍ୱୟଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ବୁଧବାର ବିଳମ୍ବିତ ରାତିରେ ଦୁଇ ଯୁବକ ପ୍ରେସ୍ ଲେଖାଥିବା ଓଆର୍୦୧ଏଲ୍-୨୩୬୭ ନଂର ଏକ ବାଇକ୍ରେ ଆସି ଡାକ୍ତରଖାନା ଭିତରକୁ ପଶିଥିଲେ। ଡାକ୍ତର ପରିଚୟ ଦେଇ ଜଣେ ପ୍ରସୂତି ୱାର୍ଡ଼ରେ ଥିବା ମହିଳାଙ୍କୁ ପରୀକ୍ଷା କରିବାବାହାନାରେ ଅସଦାଚରଣ କରିବା ବେଳେ ଅନ୍ୟ ଜଣେ ବାହାରେ ରହିଥିଲେ। ଏଭଳି କାଣ୍ଡକୁ ନେଇ ଡାକ୍ତରଖାନାର ଜଣେ କର୍ମଚାରୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ଡ୍ୟୁଟିରେ ଥିବା ଡାକ୍ତର ହିମାଂଶୁ ଭୂଷଣ ପଲେଇଙ୍କୁ ଖବର ଦେଇଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରୁ ବାହାରେ ବସିଥିବା ଜଣେ ଯୁବକ ପଳାଇଯିବାକୁ ଉଦ୍ୟତ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ବସ୍ତା ପୁଲିସ୍ ଜିମା ଦେଇଥିଲେ । ନକଲି ଡାକ୍ତର ହୋଇ ଆସିଥିବା ଯୁବକ ୨ଜଣ ହେଲେ ବସ୍ତା ଥାନା ଠେଙ୍ଗଡିହା ଗ୍ରାମର ସରୋଜ ମାଝୀ ଓ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ମଙ୍ଗଳପୁର ଗ୍ରାମର ମାନସ ବାରିକ ବୋଲି ଜଣାପଡ଼ିଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ଡାକ୍ତରଖାନା ପକ୍ଷରୁ ଥାନାରେ ଅଭିଯୋଗ ନ ହେବାରୁ ପୁଲିସ ୨ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି ।
କିଛଦିନ ପୂର୍ବରୁ ଏହିଭଳି ସମାନ ଘଟଣା ଘଟିଥିଲା । ସେତେବେଳେ ଥାନାରେ ଡାକ୍ତରଖାନା ପକ୍ଷରୁ ଅଭିଯୋଗ ଦିଆଯାଇ ନଥିଲା କି ସିକ୍ୟୁରିଟି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ନଥିଲା । ଏ ନେଇ ଚିକିତ୍ସାଧିକାରୀାଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣାକୁ ଅତି ସାଧାରଣ ଭାବେ ନେଇ ଏଡ଼ାଇ ଯାଇଥିଲେ ।