ବୁଷ୍ଟର ଡୋଜ୍‌କୁ ବି ମାତ୍‌ ଦେଉଛି ଓମିକ୍ରନ୍‌ ! ଦୁଇ ଜଣ ଡାକ୍ତର ସଂକ୍ରମିତ, ଟିକାର ପ୍ରଭାବକୁ ନେଇ ବଢ଼ିଲା ଚିନ୍ତା

Published By : Prameya-News7 Bureau | December 01, 2021 IST

ନୂଆଦିଲ୍ଲୀ ୦୧/୧୨: ପୁଣି ଘାତକ ହୋଇ ଫେରୁଛି କରୋନା ଭୂତାଣୁ। ଏଥର ‘ଓମିକ୍ରନ୍‌’ ନାଁରେ ମହାମାରୀ ତାଣ୍ଡବ ରଚିବାକୁ ବଳ ଗୋଟାଉଛି। ବିଶ୍ବରେ କରୋନାର ଓମିକ୍ରନ୍‌ ଭାରିଏଣ୍ଟ ବ୍ୟାପୁଥିବା ବେଳେ ବିଭିନ୍ନ ଦେଶରୁ ମିଳୁଥିବା ତଥ୍ୟ ଚିନ୍ତା ବଢ଼ାଇଦେଇଛି। ଏହାରି ଭିତରେ ଇସ୍ରାଏଲରୁ ଓମିକ୍ରନ୍‌ ଭୂତାଣୁ ସଂକ୍ରମଣ ନେଇ ମିଳିଥିବା ଖବର ବିଶେଷଜ୍ଞମାନଙ୍କୁ ଭାବିବାକୁ ବାଧ୍ୟ କରିବ ।

ଗତ ସପ୍ତାହରେ ଇସ୍ରାଏଲରେ ପ୍ରଥମ ଓମିକ୍ରନ ମାମଲା ମିଳିଥିବା ବେଳେ ଏବେ ଦୁଇ ଜଣ ଡାକ୍ତର ସଂକ୍ରମିତ ହୋଇଛନ୍ତି। ସବୁଠୁ ଚିନ୍ତାର ବିଷୟ ହେଉଛି ଯେ, ଦୁଇ ସଂକ୍ରମିତ ଡାକ୍ତର ଟିକାର ଦୁଇ ଡୋଜ୍‌ ନେଇଥିଲେ। ଏହା ପରେ ସେମାନେ କରୋନାର ବୁଷ୍ଟର ଶଟ୍‌ ବି ନେଇଥିଲେ। ଏହା ପରେ ବି ସେମାନେ ସଂକ୍ରମିତ ହେବା ନିହାତି ଚିନ୍ତାର ବିଷୟ। ଇସ୍ରାଏଲର ମିଡିଆ ରିପୋର୍ଟ ମୁତାବିକ, ଦେଶରେ ଏବେ ସୁଦ୍ଧା ୪ ଜଣ ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୦ ଜଣଙ୍କୁ ନିରୀକ୍ଷଣରେ ରଖଯାଇଛି।

କରୋନା ସଂକ୍ରମିତ ଦୁଇ ଜଣ ଡାକ୍ତର ଗୋଟିଏ ହସ୍ପିଟାଲରେ କାମ କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିକଟରେ ଇଂଲଣ୍ଡରୁ ଫେରିଥିଲେ। ସୂଚନା ଅନୁସାରେ, ସେ ବିମାନରେ ଉଡ଼ାଣ ଭରିବା ପୂର୍ବରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାର କିଛି ଦିନ ପରେ ତାଙ୍କ ଠାରେ ଲକ୍ଷଣ ବିକଶିତ ହୋଇଥିଲା। ନଭେମ୍ବର ୩୦ ତାରିଖରେ ସେ ଓମିକ୍ରନ୍‌ ଭାରିଏଣ୍ଟ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସଂକ୍ରମିତ ଡାକ୍ତର ଜଣଙ୍କ ଲଣ୍ଡନରୁ ଫେରିବା ପରେ ଅପରେସନ୍‌ କରିବା ସହ ଦୁଇଟି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ।

ଓମିକ୍ରନ୍‌ ଭାରିଏଣ୍ଟ ସଂକ୍ରମଣକୁ ରୋକିବା ପାଇଁ ଇସ୍ରାଏଲ୍‌ ବିଦେଶ ଫେରନ୍ତାଙ୍କ ପାଇଁ ବର୍ଡର ସିଲ୍‌ କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି ।  ଅନ୍ୟପଟେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ପିଏମ ନଫ୍ତାଲି ବେନେଟଙ୍କ ଅନୁସାରେ,  ଓମକ୍ରନ୍‌ ଶୃଙ୍ଖଳ ଭାଙ୍ଗିବା ପାଇଁ ସରକାର ଦେଶବାସୀଙ୍କ ଫୋନ୍‌ କଲ୍‌ ଟ୍ରାକ୍‌ ପାଇଁ ଗୁଇନ୍ଦା ଏଜେନ୍ସିକୁ ଅନୁମତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.